ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ୨-୧’ରେ ସିରିଜ ହାତେଇଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ତୃତୀୟ ମ୍ୟାଚ ଜିତି ୨-୧ ରେ ସିରିଜ ହାତେଇଲା ଭାରତ । ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଶିଖର ଧାୱନ । ତେବେ ଭାରତୀୟ ସ୍ପିନରଙ୍କ ସାମ୍ନା କରି ନପାରି ୨୭.୧ ଓଭରରେ ମାତ୍ର ୯୯ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ଦଳ । ତେବେ ୧୦୦ ରନର ଟାର୍ଗେଟକୁ ୭ ୱିକେଟରେ ହାସଲ କରି ସିରିଜ ହାତେଇଛି ଭାରତ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚକୁ ରୋହିତ ବାହିନୀ ୨-୧ରେ ହାତେଇବା ପରେ ଶିଖର ଧାୱନଙ୍କ ନେତୃତ୍ବରେ ଦିନିକିଆ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ତେବେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ବିତୀୟ ଦିନିକିଆ ଜିତି ସିରିଜ ବରାବର କରିଥିଲା ଶିଖର ବାହିନୀ । ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ସିରିଜ ହାତେଇବାକୁ ଉଭୟ ଦଳ ଲକ୍ଷ ରଖିଥିବା ବେଳେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିପାରି ନଥିଲେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର । ଫଳରେ ମାତ୍ର ୯୯ ରନ ସଂଗ୍ରହ କରି ଭାରତକୁ ୧୦୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭ୍ରମଣକାରୀ ଦଳ ।

ପ୍ରଥମେ ଭାରତୀୟ ଅଧିନାୟକ ଶିଖର ଧାୱନ ସପ୍ତମ ଓଭରରେ ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହା ସତ୍ତ୍ବେ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ ଶୁଭମନ ଗିଲ । ତେବେ ଲୁଙ୍ଗି ନିଗିଡ଼ିଙ୍କ ଶିକାର ହୋଇ ୪୯ ରନ କରି ଫେରିଥିଲେ । ସେ ନିଜ ଅର୍ଦ୍ଧଶତକ ଠାରୁ କେବଳ ୧ ରନ ଦୂରରେ ରହିଥିଲେ । ୨୩ ବଲରୁ ୩ ଚୌକା ଓ ୨ ଛକା ବଳରେ ୨୮ ରନ ସଂଗ୍ରହ କରି ଭାରତକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ଯୁବ ବ୍ୟାଟର ଶ୍ରେୟସ ଆୟର । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ବି ଫୋରଟ୍ୟୁନି ଓ ଲୁଙ୍ଗି ନିଗିଡ଼ି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ସେହିଭଳି ଆଜି ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କର ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । କୁଲଦୀପ ଯାଦବ ୪.୧ ଓଭର ବୋଲିଂ କରିଥିବା ବେଳେ ୧୮ ରନ ଦେଇ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ସେହିଭଳି ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ଓ ଶାହାବାଜ ଅହମ୍ମଦ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଫଳରେ ଭାରତକୁ ସିରିଜ ହାତେଇବା ପାଇଁ ମାତ୍ର ୧୦୦ ରନର ଟାର୍ଗେଟ ରହିଛି ।