ଭବାନୀପାଟଣା,ଏନ୍ଏନ୍ଏସ୍ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କନାବୀରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ମୋବାଇଲ କିଣିବାକୁ ଟଙ୍କା ନଦେବାରୁ ୧୩ ବର୍ଷ ବୟସର ପୁଅ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗାଇଗାଁ ପଞ୍ଚାୟତ କନାବୀରା ଗ୍ରାମର ଯାଦବ ଶବରଙ୍କ ପୁଅ ମୁକେଶ ଶବର(୧୩)ଙ୍କ ମୋବାଇଲ କିଛିଦିନ ତଳେ ହଜି ଯାଇଥିଲା। ମୁକେଶ ବାପାଙ୍କୁ ମୋବାଇଲ କିଣିବା ପାଇଁ ୧ହଜାର ଟଙ୍କା ମାଗିଥିଲା। ମୁକେଶ ପଢ଼ାପଢ଼ି କରୁନଥିବାରୁ ବାପା ବିରକ୍ତ ହୋଇଥିଲେ। ମୋବାଇଲ କିଣିବାକୁ ଟଙ୍କା ଦେବେ ନାହିଁ ବୋଲି କହିଥିଲେ। ପରେ ସେ ବିଲକୁ ଚାଲିଯାଇଥିଲେ।
ଏହି ସମୟରେ ଘରେ କେହି ନଥିବା ବେଳେ ମୁକେଶ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ଖବର ପାଇ ପରିବାର ଲୋକେ ମୁକେଶକୁ ଉଦ୍ଧାର କରି ପାଷ୍ଟିକୁଡି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା ପକ୍ଷରୁ ସଦର ଥାନାକୁ ଜଣାଇବା ପରେ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ମୃତ ମୁକେଶ ଭୁବନେଶ୍ୱର ଠାର କିସରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁ୍ଥିଲେ। ସେ ଲକଡାଉନ୍ ପୂର୍ବରୁ ଘରକୁ ଆସିଥିଲେ।