ବରିଷ୍ଠ କ୍ରୀଡ଼ାବିତ୍ ଦିବାକର ମହାନ୍ତିଙ୍କ ବିୟୋଗ

ରାଉରକେଲା,ଏନ୍ଏନ୍ଏସ୍ : ଜାତୀୟ କ୍ରୀଡ଼ା ସଂଗଠକ ଦିବାକର ମହାନ୍ତିଙ୍କର ୮୩ ବର୍ଷ ବୟସରଙ୍କ ଇସ୍ପାତ ଜେନେରାଲ ହସପିଟାଲରେ(ଆଇଜିଏଚ୍) ଦେହାନ୍ତ ହୋଇଛି। ସେ ବହୁ ଦିନରୁ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଉରକେଲା ଇସ୍ପାତ କାରଖାନା(ଆରଏସପି) ପ୍ରତିଷ୍ଠା ହେବା ପରଠାରୁ ସେବାନିବୃତ ପର୍ଯ୍ୟନ୍ତ ଆରଏସପି କ୍ରୀଡ଼ା ବିଭାଗ ସହ ଜଡ଼ିତ ହୋଇ ରାଉରକେଲାର କ୍ରୀଡ଼ା କ୍ରମ ବିକାଶ କରିଥିଲେ। ଫୁଟବଲ୍, ଭଲିବଲ୍, ହକି, ବକ୍ସିଂ ଆଦି ଖେଳରେ କୋଚ୍, ରେଫରୀ, ଅମ୍ପାୟାର, ଟେକ୍ନିସିଆନ, ଅଫିସିଆଲ ତଥା ସଂଗଠକ ଭାବେ ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେ ଦିଲ୍ଲୀ ଠାରେ ୧୯୮୨ ମସିହାରେ ଅନୁଷ୍ଠିତ ଏସିଆନ ଗେମ୍ ଓ ୧୯୮୯ କମନୱେଲଥ ଗେମରେ ବକ୍ସିଂ ଟେକନିସିଆନ ଭାବେ ଯୋଗ ଦେଇଥିଲେ।

ସୁନ୍ଦରଗଡ଼ ଆଥଲେଟିକ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ବହୁ ପୁରସ୍କାର ଓ ସମ୍ମାନ ସହିତ ଚନ୍ଦ୍ରଶେଖର କ୍ରୀଡ଼ା ସଂଗଠନ ତରଫରୁ ୨୦୧୫ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଚନ୍ଦ୍ରଶେଖର ସଂଗଠନର ସମ୍ପାଦକ ଦେବଦତ ଜେନା, ପଂଚାନନ ଗନ୍ତାୟତ, ଜାଗିର ସିଂ, ବଳରାମ ମାଝୀ, ବିରେନ ମହାନ୍ତ, ବିଜୟ ସେଠୀ, ସଂଜୟ ବାବୁଟା, ଶୁକ୍ରୁ ତନ୍ତୀ ତଥା କଳିଙ୍ଗ ସ୍ପୋର୍ଟସ ଫେଡ଼େରେସନ, ସୁନ୍ଦରଗଡ଼ ସାଇକ୍ଲିଙ୍ଗ ଆସୋସିଏସନ, ସୁନ୍ଦରଗଡ଼ କବାଡ଼ି ଡେଭଲେପମେଂଟ ଆସୋସିଏସନ, ରାଉରକେଲା ଭେଟ୍ରାସାନ ଫୁଟବଲ୍ ଆସୋସିଏସନ ଓ ଅନୁଗାମୀମାନେ ମଧ୍ୟ ଏହି ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଆଜି ଅପରାହ୍ନରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଦବ୍ୟାସ ତ୍ରିବେଣୀ ଘାଟରେ ସମ୍ପନ୍ନ କରାଯାଇଛି।

ସେହିପରି ସ୍ୱର୍ଗତ ମହାନ୍ତି ସହରର ସର୍ବ ପୁରାତନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ‘ପ୍ରଗତି ଉତ୍କଳ ସଂଘ’ର ସେ ପ୍ରତିଷ୍ଠାତା ଓ ଉପଦେଷ୍ଟା ଥିଲେ। ୧୯୫୮ ମସିହାରୁ ସେ ସଂଘ ସହ ଜଡ଼ିତ ଥିଲେ। ସଂଘର ସଭାପତି ଅଜୟ ନାୟକ, ଉପସଭାପତି ରଶ୍ମିରଂଜନ ବୋଇତାଇ, ଡ. ପ୍ରଭାତ ମଲ୍ଲିକ, ଅଜୟ ଗୋସ୍ୱାମୀ, ସାଧାରଣ ସମ୍ପାଦକ ରାଧାମୋହେନ ନାୟକ, ସମ୍ପାଦକ ଘନଶ୍ୟାମ ଧଳ, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର, କୋଷଧ୍ୟକ୍ଷ ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଅମରଆତ୍ମାର ସଦଗତି କାମନା କରିଥିଲେ।