ବାପାର ଠେଙ୍ଗାମାଡ଼ରେ ପୁଅର ମୃତ୍ୟୁ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅନ୍ତଗର୍ତ ଉପରଗୋଡ଼ି ଗ୍ରାମରେ ଘଟିଛି ଅମାନବୀୟ ଘଟଣା। ବାପାର ଠେଙ୍ଗା ମାଡ଼ରେ ପୁଅ କୃଷ୍ଣ ମାଝୀ(୩୦)ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଅଭିଯୁକ୍ତ ବାପା ମାଧବ ମାଝୀ(୬୦)କୁ ଥାନାରେ ଅଟକ ରଖାଯାଇ ପଚରା ଉଚୁରା କରାଯାଉଥିବା ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେବା ସହ ଥାନାରେ ୪୧/୨୦୨୦ରେ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାପା ମାଧବ ମାଝୀ ଓ ପୁଅ କୃଷ୍ଣ ମାଝୀଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ କଳହ ସୃଷ୍ଟି ହେବା ସହ ଏହା ଉଗ୍ରରୂପ ଧାରଣ କରିଥିଲା। ଏଥିରେ ବାପା ମାଧବ ଉତ୍ୟକ୍ତ ହୋଇ ଠେଙ୍ଗାରେ ପୁଅକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ପୁଅ ଚେତାଶୂନ୍ୟ ହେବାରୁ ପରିବାର ଲୋକେ ତାକୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ବାଟରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖାତିଗୁଡ଼ା ପୁଲିସ ଅଭିଯୁକ୍ତ ବାପାକୁ ଥାନାକୁ ଆଣି ପଚରା ଉଚୁରା କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।