ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲାରେ ଆଜି ନୂଆ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ସାମ୍ପୋଚ ସଂଗରୋଧ କେନ୍ଦ୍ରର ଥିବା ବେଳେ ସେମାନେ ମହାରାଷ୍ଟ୍ର ଓ ଗୁଜରାଟରୁ ଫେରିଥିଲେ। ସେହିପରି ଅନ୍ୟ ଜଣଙ୍କ ଚାରିଛକ ଅଞ୍ଚଳର ଏବଂ ସେ କରୋନା ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ।
ଆଜି ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବାରୁ ଝାଡରାଜିଙ୍ଗ ଓ ଠିଡ଼କା ଜୋର ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରିବା ସହିତ ଚାରିଛକକୁ ୩ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଏସପି ଭି ରଘୁନାଥ ରାଓ ଏବଂ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାୟକ ହରଭଙ୍ଗା ବ୍ଲକ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ସ୍ୱତନ୍ତ୍ର ମେଡିକାଲ ଟିମ ଓ ଅଧିକାରୀମାନେ ଉକ୍ତ ଗ୍ରାମରେ କ୍ୟାମ୍ପ କରିଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।