ଦିଲ୍ଲୀର କିଛି ଲୋକ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି: ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଥିବା କିଛି ଲୋକ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନିକଟରେ ରାହୁଲ ଗାନ୍ଧୀ ଦେଶରେ ଗଣତନ୍ତ୍ର ନାହିଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ଦିଲ୍ଲୀରେ ଏମିତି କିଛି ଲୋକ ରହିଛନ୍ତି, ଯେଉଁମାନେ ସର୍ବଦା ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି। ହେଲେ ମୁଁ ସେମାନଙ୍କୁ ଜାମ୍ମୁ-କାଶ୍ମୀରରେ ଅନୁଷ୍ଠିତ ହୋଇଥିବା ଡିଡିସି ନିର୍ବାଚନକୁ ଗଣତନ୍ତ୍ରର ଉଦାହରଣ ଭାବେ ଦେଖାଇବାକୁ ଚାହିଁବି। କିଛି ରାଜନୀତି ଗୋଷ୍ଠୀ ସବୁବେଳେ ଗଣତନ୍ତ୍ର କଥା କହୁଛନ୍ତି। ହେଲେ ସେମାନଙ୍କ ଅହଂକାର ଓ ଦୋମୁହାଁ ନୀତିକୁ ମଧ୍ୟ ସମସ୍ତେ ଦେଖିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୁଡୁଚେରୀରେ କ୍ଷମତାରେ ଥିବା ଦଳ ସେଠାରେ ପୌର ନିର୍ବାଚନ କରୁନାହିଁ। କିନ୍ତୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବାର ଗୋଟିଏ ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି। ନିକଟରେ ଶେଷ ହୋଇଥିବା ଡିଡିସି ନିର୍ବାଚନ ଗଣତନ୍ତ୍ରର ମୂଳଦୁଆକୁ ଅଧିକ ସୁଦୃଢ଼ କରିଛି।

ଜାମ୍ମୁ-କାଶ୍ମୀରର ଲୋକମାନେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଡିଡିସି ନିର୍ବାଚନ ବେଳେ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବକମାନେ ପୁଲିଂ ବୁଥକୁ ଯାଇ ଭୋଟ ଦେଇଥିବା ମୁଁ ଦେଖିଛି। ସେଠାକାର ଲୋକମାନେ ଡିଡିସି ନିର୍ବାଚନରେ ଭାଗ ନେଇ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବା ମୋଦୀ କହିଛନ୍ତି।