ରାୟଗଡା,ଏନ୍ଏନ୍ଏସ୍: ଅଳ୍ପ ଦିନର ବ୍ୟବଧାନରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ବଡ଼ଧରଣର ମାଓ ହିଂସା ପରେ ତତ୍ପର ହୋଇଉଠିଛି ରାୟଗଡ଼ା ପୁଲିସ। ରାୟଗଡ଼ା ଜିଲ୍ଲା ଭିତରେ ମାଓବାଦୀ ହିଂସା ଏଡ଼ାଇବା ପାଇଁ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ବଡ଼ଧରଣର ଅପରେସନ। ଆଜିଠାରୁ ଏହି ଅପରେସନ ଆରମ୍ଭ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଏସପି। ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଘଟାଇବା ଲକ୍ଷ୍ୟରେ ମାଓବାଦୀମାନେ ରାୟଗଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ଟାର୍ଗେଟ କରିଛନ୍ତି। ଏହି ୩ ଜିଲ୍ଲାର ସୀମାନ୍ତରେ ମାଓବାଦୀଙ୍କ ଭିନ୍ନ ଭିନ୍ନ ଟିମ ଘୁରି ବୁଲିବା ସହ ପଞ୍ଚାୟତ ନିର୍ବାଚନକୁ ବିଫଳ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଗୋଇନ୍ଦା ସୂତ୍ରରୁ ସୂଚନା ପାଇ ଆରମ୍ଭ ହୋଇଛି ଏହି ଅପରେସନ। ଏହା ଜଣାପଡ଼ିବା ପରେ ରାୟଗଡ଼ା ଜିଲ୍ଲାରେ ନିୟୋଜିତ ଏସଓଜି, ଡିଭିଏଫ୍, ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ ଯବାନମାନଙ୍କୁ ଆଜିଠାରୁ କମ୍ବିଂ ଅପରେସନ ନିଯୋଜିତ କରାଯାଇଛି।
ରାୟଗଡ଼ା ଜିଲ୍ଲା ସୀମାକୁ ଲାଗିଥିବା କଳାହାଣ୍ଡି ଓ କନ୍ଧମାଳ ଅଂଚଳରେ ଜୋରଦାର ଅପରେସନ ଆରମ୍ଭ କରାଯାଇଛି। ବ୍ୟାପକ ପରିମାଣରେ ଫୋର୍ସ ଆଜି ସେହି ଅଞ୍ଚଳକୁ ଯାଇଛନ୍ତି। ଭିନ୍ନ ଭିନ୍ନ ରୁଟରେ ଯାଇ କମ୍ବିଂ ଅପରେସନ ଚଳାଇଥିବା ଜଣାପଡ଼ିଛି। ମୁଖ୍ୟତଃ ନିୟମଗିରି ପାହାଡ଼ ଅଞ୍ଚଳରେ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି। କାରଣ ସୀମାନ୍ତ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ନିୟମଗିରି ପାହାଡ଼କୁ ଆଶ୍ରୟସ୍ଥଳୀ ଭାବେ ବାଛିନେଇଛନ୍ତି।
ସେପଟେ ଆସନ୍ତା ୧୬ ତାରିଖରେ ତ୍ରୀସ୍ତରୀୟ ପଞ୍ଚୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାୟଗଡ଼ା ଜିଲ୍ଲାର ସର୍ବାଧିକ ମାଓବାଦୀ ପ୍ରବଣ ଅଞ୍ଚଳ ଚନ୍ଦ୍ରପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଳକରେ ଏହା ଅନୁଷ୍ଠିତ ହେବ। ତେଣୁ ଏହି ୩ ବ୍ଲକ୍ରେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରାଇବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଆଇଡ଼ି ଏବଂ ପ୍ରେସର ବୋମା ଖଞ୍ଜିଥିବା ଯୋଗୁଁ ନିର୍ବାଚନ ପୁଲିଂ ଟିମ ଟାର୍ଗେଟ ହେବାର ସମ୍ଭାବନାକୁ ଏଡ଼ାଇ ହୋଇପାରୁନାହିଁ। ତେଣୁ ୧୬ ତାରିଖ ପୂର୍ବରୁ ମାଓବାଦୀଙ୍କୁ ଅପହଞ୍ଚ ଇଲାକା ଆଡ଼କୁ ଘଉଡ଼ାଇବା ସହ ନିର୍ବିଘ୍ନରେ ନିର୍ବାଚନ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍ତି।
ସେହିଭଳି ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ମାଓବାଦୀମାନେ ବୋମା ଖଞ୍ଜିଥିବା ସମ୍ଭାବନା ରହିଥିବାରୁ ନିୟମିତ ଭାବେ ବୋମା ନିଷ୍କ୍ରିୟକାରୀ ଦଳ ଅନୁସନ୍ଧାନ କରିବା ସହ ତାହା ନିଷ୍କ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି। ସେହିପରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ମାଓ ଖବର ସଂଗ୍ରହ କରିବାକୁ ଯିବା ସମୟରେ ସତର୍କ ରହିବା ପାଇଁ କହିଛି ଏସପି ସୂଚନା ଦେଇଛନ୍ତି। ଖବର ସଂଗ୍ରହ ପାଇଁ ଯିବାବେଳେ ହଠାତ କୌଣସି ସ୍ଥାନକୁ ନଯିବା ସହ ଦୂରତା ବଜାୟ ରଖି ଖବର ସଂଗ୍ରହ କରିବାକୁ ସେ କହିଛନ୍ତି।
ପୁଲିସ ତରଫରୁ ଚନ୍ଦ୍ରପୁର, ଅମ୍ବାଦଳା, ବିଷମକଟକ ଓ ମୁନିଗୁଡ଼ା ଥାନା ଅଂଚଳକୁ ଅଧିକ ଫୋକସ କରାଯାଇଥିବା ଏସପି ପ୍ରକାଶ କରିଛନ୍ତି। ଗୁଇନ୍ଦା ସୂତ୍ର ଆଧାରରେ ଏହି ଅପରେସନ ଚାଲିଥିବା ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ଯବାନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ କିଭଳି ଏହା ହେଉଛି ତାହା ନିର୍ବାଚନ ପରେ ଜଣାପଡ଼ିବ।
ଅପରପକ୍ଷରେ, ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାରକୁ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ସେମାନଙ୍କୁ ସତର୍କତା ଅବଲମ୍ବନ କରିବା ନିମନ୍ତେ ପୁଲିସ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଅନ୍ଧାର ପର୍ଯ୍ୟନ୍ତ ପ୍ରଚାର ନକରିବା ସହ କେହି ଧମକ ଚମକ ଦେଲେ ତୁରନ୍ତ ପୁଲିସକୁ ସୂଚନା ଦେବା ପାଇଁ କୁହାଯାଇଛି। ସେହିଭଳି ମାଓବାଦୀ ପ୍ରବଣ ଅଞ୍ଚଳରେ ଯେଉଁସବୁ ଠିକାଦାରମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି ସେମାନେ ନିଜର କାମ ଶେଷପରେ ବିଭିନ୍ନ ଗାଡ଼ି ଜନବସତି ନିକଟକୁ ଆଣିବା ସହ ନିକଟରେ ଥିବା ଥାନା, ସିଆରପିଏଫ କ୍ୟାମ୍ପ ଏବଂ ଫାଣ୍ଡି ନିକଟରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି।