ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିକ୍ରି ହେବ: ଓଏଲଏକ୍ସରେ ବିଜ୍ଞାପନ ଦେଇ ୪ ଗିରଫ

ବାରାଣସୀ,ଏଜେନ୍ସି: ବାରାଣସୀସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି ହେବ ବୋଲି ଓଏଲଏକ୍ସରେ ଏକ ବିଜ୍ଞାପନ ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ପୁଲିସ ଏ ପ୍ରସଙ୍ଗରେ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମୋଦୀଙ୍କ ଲୋକସଭା ସଂସଦୀୟ କ୍ଷେତ୍ର ବାରାଣସୀ ଠାରେ ଥିବା ଜନସମ୍ପର୍କ କାର୍ଯ୍ୟାଳୟର ଏକ ଫଟୋକୁ ଓଏଲଏକ୍ସ ୱେବ୍‌ସାଇଟରେ ଅପଲୋଡ୍ କରିବା ସହ ଏହା ବିକ୍ରିହେବ ବୋଲି ବିଜ୍ଞାପନ ଦେଇଥିଲେ।

ସେମାନେ ଏହାର ବିକ୍ରି ମୂଲ୍ୟ ୭.୫ କୋଟି ଟଙ୍କା ଧାର୍ଯ୍ୟ କରିଥିବା ଜଣାପଡିଛି। ତେବେ ସ୍ଥାନୀୟ ପୁଲିସର ନଜରକୁ ଆସିବାପରେ ଏହା ଉପରେ ତନାଘନା କରାଯାଇ ଚାରିଜଣଙ୍କୁ ଗିରଫ କରାଯାଇଛି ବୋଲି ବାରାଣସୀ ଏସ୍‌ଏସ୍‌ପି ଅମିତ ପାଠକ ସୂଚନା ଦେଇଛନ୍ତି। କେଉଁ କାରଣରୁ ଅଭିଯୁକ୍ତମାନେ ଏଭଳି ଦୁଃସାହସ କଲେ, ସେ ସମ୍ପର୍କରେ ପୁଲିସ ସେମାନଙ୍କୁ ଜେରା କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ୨୦୧୪ରେ ମୋଦୀ ପ୍ରଥମ ଥର ବାରାଣସୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୧୯ରେ ମଧ୍ୟ ଏହାର ପୁନରାବୃତ୍ତି ଘଟିଥିଲା।