ଭାରତରେ ତିଆରି ହେବ ୩୦ କୋଟି ସ୍ପୁଟ୍‌ନିକ୍‌-୫ ଡୋଜ୍

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱ କୋଭିଡ୍ ଟିକା ଅପେକ୍ଷାରେ ଥିବାବେଳେ ଆସନ୍ତାବର୍ଷ ଭାରତରେ ସ୍ପୁଟ୍‌ନିକ୍‌-୫ ତିଆରି ହେବ ବୋଲି ରୁଷ ଘୋଷଣା କରିଛି। ୨୦୨୧ରୁ ଭାରତରେ ପ୍ରତିବର୍ଷ ୩୦ କୋଟି ଅଥବା ତା’ଠାରୁ ଅଧିକ ଡୋଜ୍ ଉତ୍ପାଦିତ ହେବ। ଏଥିପାଇଁ ରୁଷ୍ ଭାରତର ଚାରିଟି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ସହ ରାଜିନାମା ସ୍ୱାକ୍ଷର କରିଥିବା ରୁଷିୟାନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌(ଆର୍‌ଡିଆଇଏଫ୍‌)ର ମୁଖ୍ୟ କିରିଲ ଦିମିତ୍ରେଭ୍ ଏକ ରୁଷୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସ୍ପୁଟ୍‌ନିକ୍‌-୫ ତିଆରି କରୁଥିବା କମ୍ପାନୀ ଗାମଲେୟା ରିସର୍ଚ୍ଚ ସେଣ୍ଟର ଫର ଏପିଡେମିୟୋଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି କିଛିଦିନ ପୂର୍ବରୁ ଦାବି କରିଥିଲା ଯେ, ଏହି ଟିକା କୋଭିଡ୍‌-୧୯ ବିରୋଧରେ ୯୧.୫ ପ୍ରତିଶତ ଫଳପ୍ରଦ। ପ୍ରଥମ କଣ୍ଟ୍ରୋଲ୍ ପଏଣ୍ଟରେ ଏହା ୯୨ ପ୍ରତିଶତ ପ୍ରଭାବଶାଳୀ ଦେଖାଦେଇଥିବା ବେଳେ ଦ୍ୱିତୀୟ କଣ୍ଟ୍ରୋଲ୍ ପଏଣ୍ଟରେ ଏହା ୯୧.୪ ପ୍ରତିଶତ ପ୍ରଭାବଶାଳୀ ରହିଥିଲା। ଏହାଛଡ଼ା କୋଭିଡ୍‌-୧୯ର ଗୁରୁତର ମାମଲାରେ ସ୍ପୁଟ୍‌ନିକ-୫ ଶତପ୍ରତିଶତ ଫଳପ୍ରଦ ହୋଇଥିବା କମ୍ପାନୀ ଦାବି କରିଛି। ଖୁବ୍‌ଶୀଘ୍ର ଟିକାର କ୍ଲିନିକାଲ୍ ଟ୍ରାଏଲ୍ ରିପୋର୍ଟ ପ୍ରତିଷ୍ଠିତ ସାଇନ୍ସ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହେବ। ଏହାପରେ ସାରା ବିଶ୍ୱର ବିଭିନ୍ନ ଦେଶରେ ସ୍ପୁଟ୍‌ନିକ୍‌-୫ ଟିକାର ତ୍ୱରିତ ପଞ୍ଜୀକରଣ ପାଇଁ ରିପୋର୍ଟ ତିଆରି ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।