କୋରାପୁଟ ରେଳ ଷ୍ଟେସନରେ ସୌର ବିଦ୍ୟୁତ୍ ଯୋଗାଣ ଆରମ୍ଭ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ରେଳ ଷ୍ଟେସନରେ ସୌର ଶକ୍ତି ବିଦ୍ୟୁତ୍ ଯୋଗାଣର ଶୁଭାରମ୍ଭ ହୋଇଛି। ପୂର୍ବତଟ ରେଳ ଡିଭିଜନର ବିଦ୍ୟୁତ୍ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ. ଚିତ୍ତରଞ୍ଜନ ହାଇତି ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ ଏରିଆ ମ୍ୟାନେଜର୍ ଲିଙ୍କନ୍ ପାତ୍ର, ଏଡିଇଏମ୍ ଲଲାଟେନ୍ଦୁ ଜେନା, ଏଡିଏମଓ କେ.ଭୋଜରାଜୁ, ଏସଏସସିଇ କୋଟେଶ୍ୱର ରାଓ ଓ କୋରାପୁଟ ଷ୍ଟେସନ ମ୍ୟାନେଜର୍ ନରେନ୍ଦ୍ର କୁମାର ଭିତିରିଆ ପ୍ରମୁଖ ଉପସ୍ଥିତ ଥିଲେ। ପିପିପି ମୋଡରେ ରେଳବାଇ ବିଭାଗ ଓ ଆଜ୍ୟୁର୍ ସୋଲାର୍ ପାୱାର୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ଦ୍ୱାରା ମିଳିତ ଭାବେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବାବେଳେ କୋରାପୁଟ ରେଳ ଷ୍ଟେସନକୁ ଦୈନିକ ୨୭.୫ କିଲୋ ୱାଟ୍ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ସୋଲାର୍ ପ୍ଲାଣ୍ଟ ସ୍ଥାପନା କରିଥିବା ଆଜ୍ୟୁର ସୋଲାର ପାୱାର ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ପ୍ରକଳ୍ପର ସମସ୍ତ ଅର୍ଥ ବିନିଯୋଗ କରିବା ସହ ଆସନ୍ତା ୨୫ ବର୍ଷ ଯାଏ ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବା ପାଇଁ ରେଳ ବିଭାଗ ସହ ଚୁକ୍ତିନାମା କରିଥିବା ଜଣାପଡ଼ିଛି।