ରାସ୍ତା ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ବିରୋଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଥାନାରେ ଏତାଲା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ମରାମତି ହେଉନଥିବା ବେଳେ ଏହା ଦୁର୍ଘଟଣା ସ୍ଥଳ ପାଲଟିଛି। ଏଠାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଧନଜୀବନ ହାନୀ ହେଉଛି। ୪୯ନଂ ଜାତୀୟ ରାଜପଥର ପ୍ରସସ୍ଥି କରଣ ପାଇଁ କାର୍ଯ୍ୟକରୁଥିବା ଠିକା ସଂସ୍ଥା ଓରିଏନଣ୍ଟାଲ ଷ୍ଟ୍ରକଚରାଲ କମ୍ପାନୀର ମୁନାଫାଖୋର ମନୋଭାବ ଯୋଗୁଁ ଏଭଳି ଅଘଟଣ ଘଟୁଛି।

ଉକ୍ତ କମ୍ପାନୀ ଉଦ୍ଦେଶ୍ୟ ମୂଳକ ଭାବେ ଜାତୀୟ ରାଜପଥର ମରାମତି କାର୍ଯ୍ୟ କରୁନଥିବା ଅଭିଯୋଗ କରି ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦେବଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଦେବଗଡ଼ ଜିଲ୍ଲା କଂଗ୍ରେସ ଜିଲ୍ଲା ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ ମହିଳା ସଭାନେତ୍ରୀ ମଞ୍ଜୁଲତା ନାୟକ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, ଶୁଶୀଲ କୁମାର ନାୟକ, ସୁବାସ ଚନ୍ଦ୍ର ଭୋଇ, କ୍ଷୀତିଶ କୁମାର ପ୍ରଧାନ, ବିକାଶ ଖଡିରତ୍ନ, ପଞ୍ଚୁ ବରାଇ, ଶମ୍ଭୁ ଶେଖର ପ୍ରଧାନ, ଯିଶୁ କ୍ରିଷ୍ଣ ସାହୁ, ରାକେଶ ବେହେରା, ଦୀପକ କୁମାର ଦାସ, ଗୀତାଞ୍ଜଳି ସାହୁ, ସବିତା ନାୟକ, ପୁଷ୍ପା ବେହେରା ଓ ଜ୍ୟୋତି ଦେହୁରୀ ପ୍ରମୁଖ ଦେବଗଡ଼ ଥାନାକୁ ଆସି ଏତଲା ଦାଏର କରିଛନ୍ତି।

ଗତ ଡିସେମ୍ବର ୬ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଧର୍ମଘଟ କରିବାରୁ ଜିଲ୍ଲା ପ୍ରଶାସନିକ ପଦାଧିକାରୀଙ୍କ ଉପସ୍ଥିତିରେ କମ୍ପାନୀର ଅଧିକାରୀମାନେ ୭ଦିନ ମଧ୍ୟରେ ଜାତୀୟ ରାଜପଥ ମରାମତି ପାଇଁ ପ୍ରତିଶୃତି ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି କାମ ହୋଇପାରି ନାହିଁ। ଗତକାଲି ସଂନ୍ଧ୍ୟାରେ ଜଣେ ୬ ବର୍ଷୀୟା ସ୍କୁଲ ଛାତ୍ରୀର ମୃତ୍ୟୁ ଘଟିଥିଲା। ଥାନାରେ ଅଭିଯୋଗ ପତ୍ର ଦେବାପରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ପ୍ରତିଶୃତି ଦେଇଛନ୍ତି।