ସାପ କାମୁଡ଼ାରେ ଶିଶୁକନ୍ୟା ମୃତ, ମା’ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ରବିବାର ରାତିରେ ସାପ କାମୁଡ଼ାରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବଡ଼ବାଗଦରୀ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ଶିଶୁର ମା’ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ସୀମାବର୍ତ୍ତୀ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବଡ଼ବାଗଦରୀ ଗ୍ରାମର ବାବୁଲି ସାହୁ ଓ ସ୍ତ୍ରୀ ବିନତୀ ସାହୁ ନିଜର ୩ ବର୍ଷର ଶିଶୁ କନ୍ୟା ସହ ରାତିରେ ଶୋଇଥିଲେ। ରାତି ପ୍ରାୟ ୧୨ଟା ବେଳେ ଏକ ସାପ ବିନତୀ ଓ ତାଙ୍କ ଝିଅ ତୃପ୍ତିମୟୀ (୩)ଙ୍କୁ କାମୁଡ଼ି ଦେଇଥିଲା। ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସକାଳୁ ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ତାଙ୍କ ମା’ ବିନତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।