ସଂସଦରେ ରାହୁଲଙ୍କ ଅଭଦ୍ର ଇଶାରା

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଭାଷଣ ଶେଷ କରି ସଂସଦରୁ ଯିବା ସମୟରେ ରାହୁଲ ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଫ୍ଲାୟିଂ କିସର ଇଶାରା ଦେଇଥିଲେ ବୋଲି ସ୍ମୃତି କହିଛନ୍ତି ।

ଲୋକସଭାରେ କହିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ମୋ ପୂର୍ବରୁ ଏଠାରେ ଯାହାକୁ କହିବାର ସୁଯୋଗ ମିଳିଲା ସେ ଅସଭ୍ୟତାର ପରିଚୟ ଦେଇଛନ୍ତି । ସେ ଭାଷଣ ଶେଷ କରିବା ପରେ ଅଭଦ୍ର ବ୍ୟବହାର କରିଛନ୍ତି । ମହିଳା ବସିଥିବା ସଂସଦରେ ସେ ଫ୍ଲାୟିଂ କିସ୍ ମାରିଛନ୍ତି । ଏଭଳି ବ୍ୟବହାର ଜଣେ ସ୍ତ୍ରୀ-ଦ୍ୱେଷୀ ମଣିଷ ହିଁ କରିପାରିବ । ଏପରି ମର୍ଯ୍ୟାଦାବିହୀନ ଆଚରଣ ଏହି ଦେଶର ସଦନରେ କେବେ ଦେଖି ନଥିଲି । ଏହା ସେହି ପରିବାରର ଲକ୍ଷଣ ବୋଲି ଆଜି ସଦନରେ ଦେଶବାସୀ ଜାଣିପାରିଲେ ।

ବିଜେପି ସାଂସଦ ପୁନମ ମହାଜନ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଆଜି ସଦନରେ ଯେଉଁ ବ୍ୟବହାର କରିଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ । ଆମେ ଏହାକୁ ବିରୋଧ କରୁଛୁ ଏବଂ ଲୋକସଭା ବାଚସ୍ପତିଙ୍କ ପାଖରେ ଅଭିଯୋଗ କରିବୁ ।

ସୂଚନାଯୋଗ୍ୟ, ମହିଳା ସାଂସଦଙ୍କ ଏକ ଗ୍ରୁପ ରାହୁଲ ଗାନ୍ଧୀଙ୍କ ଏହି ବ୍ୟବହାରର ବିରୋଧରେ ଲୋକସଭା ବାଚସ୍ପତିଙ୍କଠାରେ ଅଭିଯୋଗ କରିଛନ୍ତି ।