କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ରୁମର ଶୁଭାରମ୍ଭ

କୋରାପୁଟ,ଏନ୍ଏନ୍ଏସ୍: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା ମେନ୍ କ୍ୟାମ୍ପସ୍ ସ୍ଥିତ ପାରମ୍ପାରିକ ଶ୍ରେଣୀ ଗୃହକୁ ସ୍ମାର୍ଟ କ୍ଲାସ୍ ରୁମରେ ପରିଣତ କରାଯାଇଛି। କୁଳପତି ପ୍ରଫେସର୍ ଆଇ ରାମାବ୍ରହ୍ମମ୍ ଏହାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ବିଶ୍ୱବିଦ୍ୟାଳୟରେ କେବଳ ଶ୍ରେଣୀ ଗୃହରେ ପାଠପଢା ଚାଲିଥିଲା। ତେବେ କରୋନା ମହାମାରୀ ପାଇଁ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଫଳରେ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି।

ସ୍ମାର୍ଟ କ୍ଲାସ୍ ରୁମର ଶୁଭାରମ୍ଭ ହେବାରୁ ସେହି ସମସ୍ୟା ଦୂର ହୋଇ ପାରିବ ବୋଲି କୁଳପତି କହିଛନ୍ତି। ବିଶ୍ୱବିଦ୍ୟାଳୟର ୧୪ଟି ବିଭାଗର ଶ୍ରେଣୀ ଗୃହରେ ଡିଜିଟାଲ୍ ଇଣ୍ଟରାକ୍ଟିଭ୍ ଡିସପ୍ଲେ, ଭିଜୁଆଲ୍ ପ୍ରୋଜେକ୍ଟର୍ ଓ ଇଣ୍ଟରନେଟର ବ୍ୟବସ୍ଥା କରାଯାଇ ଶ୍ରେଣୀ ଗୃହକୁ ସ୍ମାର୍ଟ କ୍ଲାସ୍ ରୁମରେ ପରିଣତ କରାଯାଇଛି। ଏହା ଶିକ୍ଷା ଦାନ ଓ ଶିକ୍ଷା ଗ୍ରହଣରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।