ଓଡ଼ିଶାରେ ପ୍ରଥମ ଅନ୍ତର୍ଜାତୀୟ ମେରୁଦଣ୍ଡ କର୍ମଶାଳା, ଯୋଗଦେଲେ ୫୦୦ରୁ ଅଧିକ ଡାକ୍ତର

ଭୁବନେଶ୍ବର,ଏନ୍ଏନ୍ଏସ୍: ଏଏସ୍‌ଏସ୍‌ଆଇ ପକ୍ଷରୁ ଭୁବନେଶ୍ବର ଠାରେ ୩ ଦିନିଆ ଅନ୍ତର୍ଜାତୀୟ ମେରୁଦଣ୍ଡ କର୍ମଶାଳା ‘ଆଇସିଏସ-୨୦୨୨’ ଅନୁଷ୍ଠିତ ହୋଇଯାଇଛି । ଗତକାଲି (ଗୁରୁବାର) ଠାରୁ ଆରମ୍ଭ ହୋଇଥିବା ଏହି କର୍ମଶାଳା ଆସନ୍ତାକାଲି (ଶନିବାର) ପର୍ଯ୍ୟନ୍ତ ଚାଲିବ । ତେବେ ଏହି କର୍ମଶାଳାରେ ୫୦୦ରୁ ଊର୍ଦ୍ଧ୍ବ ଅଭିଜ୍ଞ ସ୍ପାଇନ ସର୍ଜନ, ଅସ୍ଥିଶଲ୍ୟ ବିଶେଷଜ୍ଞ, ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କ ସମେତ ଅନ୍ୟ ଡାକ୍ତର ଯୋଗ ଦେଇଛନ୍ତି ।

ଏଏସ୍‌ଏସ୍‌ଆଇ ପକ୍ଷରୁ ଆରମ୍ଭ ହୋଇଥିବା ଏହି କର୍ମଶାଳା ଫଳରେ ଓଡିଶାରେ ବିଭିନ୍ନ ପ୍ରକାର ମେରୁଦଣ୍ଡ ରୋଗ ଓ ମେରୁଦଣ୍ଡ ଜନିତ ଆଘାତର ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଚିକିତ୍ସା କରିବାରେ ସହାୟକ ହେବ । ଏଭଳି କାର୍ଯ୍ୟକ୍ରମ ଦ୍ବାରା ସ୍ଥାନୀୟ ଡାକ୍ତରମାନେ ଦେଶ ବିଦେଶର ଅନେକ ଅଭିଜ୍ଞ ତଥା ବରିଷ୍ଠ ଡାକ୍ତରଙ୍କ ଠାରୁ ମେରୁଦଣ୍ଡ ଚିକିତ୍ସା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ମେରୁଦଣ୍ଡ ଜନିତ ବିଭିନ୍ନ ରୋଗର କାରଣ, ଡାକ୍ତରୀ ପରୀକ୍ଷା ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଦେଶ ବିଦେଶର ଅଭିଜ୍ଞ ଡାକ୍ତରଙ୍କୁ ନେଇ ଏହି ଅନ୍ତର୍ଜାତୀୟ କର୍ମଶାଳା ‘ଆଇସିଏସ-୨୦୨୨’ର ଆୟୋଜନ ହୋଇଛି ।

ମେରୁଦଣ୍ଡ ରୋଗ ଓ ଆଘାତ ଚିକିତ୍ସା କରୁଥିବା ଡାକ୍ତର ଗୋଟିଏ ମଞ୍ଚରେ ଏକାଠି ହୋଇ ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଥିବା ପ୍ରକାଶ କରିଛନ୍ତି । ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେରୁଦଣ୍ଡ ଚିକିତ୍ସାର ରୂପାନ୍ତରଣ (ଟ୍ରାନ୍ସଫରମେସନ୍) ଉପରେ ଗରୁତ୍ବ ଦେଇଥିଲେ । ଏହି କର୍ମଶାଳାରେ ୧୫୦ରୁ ଊର୍ଦ୍ଧ୍ବ ଅଭିଜ୍ଞ ତଥା ବରିଷ୍ଠ ଡାକ୍ତର ନିଜ ନିଜର ରିର୍ସଚ୍ଚ ପେପର ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ୬ ତାରିଖରେ ଭୁବ‌େ‌ନଶ୍ବରର KIIT ଓ KIIMS ହସ୍ପିଟାଲରେ ଡାକ୍ତରଙ୍କ ପାଇଁ ଏକ ଲାଇଭ୍ ସର୍ଜରୀ କର୍ମଶାଳା ଆୟୋଜନ କରାଯିବ ।