କାନପୁର,ଏଜେନ୍ସି: ୧୯୮୪ ମସିହାରେ ଘଟିଥିବା ଶିଖ ବିରୋଧୀ ହିଂସା ମାମଲାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ। ଗିରଫ ଦୁଇ ଅଭିଯୁକ୍ତ ଘାଟପୁରର ବାସିନ୍ଦା ଭୁରା ଓରମ ତାମର ସିଂ ଏବଂ ମୋବିନ୍। ଏହି ପ୍ରସଙ୍ଗରେ, ଏସ୍ଆଇଟିର ଡିଜି ବାଲେନ୍ଦୁ ଭୂଷଣ ସିଂ କହିଛନ୍ତି, ତିନି ବର୍ଷ ପୂର୍ବେ ଗଠିତ ଏସଆଇଟି ଏପର୍ଯ୍ୟନ୍ତ ୯୪ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଚିହ୍ନଟ ଅଭିଯୁକ୍ତଙ୍କ ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ବର୍ତ୍ତମାନ ସୁଦ୍ଧା ମଧ୍ୟ ଚିହ୍ନଟ ୭୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯିବା ବାକି ରହିଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୋଟ ୧୪ଟି ମାମଲାରେ ପ୍ରମାଣ ମିଳିଛି। ଏଥିମଧ୍ୟରେ, ୧୪୭ ଜଣଙ୍କର ସାକ୍ଷ୍ୟ ମଧ୍ୟ ରେକର୍ଡ କରାଯାଇଥିଲା। ୩ ବର୍ଷ ପୂର୍ବେ ଏହି ମାମଲାରେ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇଥିଲା। ଆଜିର ଗିରଫଦାରୀ ପୂର୍ବରୁ ଜୁନ ୧୪ରେ ମଧ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ୧୯୮୪ରେ ହୋଇଥିବା ଏହି ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ।