ନୂଆଦିଲ୍ଲୀ,ଏଜେନ୍ସି: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି। ଏଥିସହିତ ସେ ଓଡ଼ିଶାର ପ୍ରଥମ ମହିଳା ତଥା ଦେଶରେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି।
ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରୁ ଆସୁଥିବା ମୁର୍ମୁ ପୂର୍ବରୁ ବିଜେପି-ବିଜେଡି ମେଣ୍ଟ ସରକାରରେ ଜଣେ ମନ୍ତ୍ରୀ ଥିଲେ। ଆଜି ବିରୋଧୀ ୟୁପିଏ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ଏଣୁ ଏଥର ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଓ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ଲଢେଇ ହେବ।
ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କଲେ ଦ୍ରୌପଦୀ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଓ ୨ୟ ମହିଳା ରାଷ୍ଟ୍ରପତି ହେବେ। ସେ ମଧ୍ୟ ଭାରତରେ ରାଷ୍ଟ୍ରପତି ହେବାରେ ଓଡ଼ିଶାର ୨ୟ ବ୍ୟକ୍ତି ହେବେ। ପୂର୍ବରୁ ବ୍ରହ୍ମପୁରରେ ଜନ୍ମିତ ଭି.ଭି.ଗିରି ଭାରତର ରାଷ୍ଟ୍ରପତି ହୋଇଥିଲେ। ଜୁନ ୨୦, ୧୯୫୮ରେ ଓଡ଼ିଶାର ମୟୁରଭଞ୍ଜରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ।