ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ହେଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି

ନୂଆଦିଲ୍ଲୀ,ଏଜେନ୍ସି: ବରିଷ୍ଠ କୂଟନୀତିଜ୍ଞ ରୁଚିରା କାମ୍ବୋଜ ହେଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି। ରୁଚିରା କମ୍ବୋଜ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଭାରତୀୟ ବୈଦେଶିକ ସେବା ଅଧିକାରୀ। ରୁଚିରା ବର୍ତ୍ତମାନ ଭୁଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ଅଛନ୍ତି। ଭୁଟାନରେ ଭାରତକୁ ପ୍ରତିନିଧିତ୍ବ କରିବାରେ ରୁଚିରା ହେଉଛନ୍ତି ପ୍ରଥମ ମହିଳା କୂଟନୀତିଜ୍ଞ।

ବରିଷ୍ଠ ବୈଦେଶିକ ସେବା ଅଧିକାରୀ ରୁଚିରା, ୧୯୮୭ ସିଭିଲ ସର୍ଭିସ ବ୍ୟାଚରେ ମହିଳା ବର୍ଗର ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଜାତିସଙ୍ଘରେ ଭାରତୀୟ ପ୍ରତିନିଧି ଭାବେ ସେ ବରିଷ୍ଠ କୂଟନୀତିଜ୍ଞ ଟି.ଏସ ତିରୁମୂର୍ତ୍ତିଙ୍କ ସ୍ଥାନ ନେବେ। ୨୦୦୨ରୁ ୨୦୦୫ ମଧ୍ୟରେ ରୁଚିରା ଜାତିସଂଘରେ ଭାରତରେ ସ୍ଥାୟୀ ମିଶନରେ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ସଂସ୍କାର, ମଧ୍ୟପ୍ରାଚ୍ୟ ସଙ୍କଟ ଆଦି ପ୍ରସଙ୍ଗରେ ମଧ୍ୟ ସେ କାର୍ଯ୍ୟ କରିବାର ଅନୁଭବ ରଖିଛନ୍ତି।