ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌: ପ୍ରିକ୍ୱାର୍ଟର୍‌ରେ ସିନ୍ଧୁ, ଲକ୍ଷ୍ୟ ଓ ଶ୍ରୀକାନ୍ତ

ହୁଏଭା(ସ୍ପେନ୍‌),ଏଜେନ୍ସି: ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଭାରତର ପ୍ରମୁଖ ମହିଳା ଶଟ୍‌ଲର୍ ପିଭି ସିନ୍ଧୁ ମଙ୍ଗଳବାର ସ୍ଲୋଭାକିଆର ମାର୍ଟିନା ରେପିସ୍କାଙ୍କ ବିପକ୍ଷରେ ୨୧-୭, ୨୧-୯ରେ ଏକତରଫା ବିଜୟ ହାସଲ କରି ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍‌ରେ ଆକର୍ଷଣୀୟ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ପୁରୁଷ ବିଭାଗରେ ଯୁବ ଖେଳାଳି ଲକ୍ଷ୍ୟ ସେନ୍‌, କିଦାମ୍ବୀ ଶ୍ରୀକାନ୍ତ ଏବଂ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ି ମଧ୍ୟ ପ୍ରିକ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ବିଶ୍ୱର ସାତ ନମ୍ବର ଖେଳାଳି ସିନ୍ଧୁ ଅଣସିଡେଡ୍ ପ୍ରତିଦ୍ୱନ୍ଦ୍ୱୀ ରେପିସ୍କାଙ୍କୁ ମାତ୍ର ୨୪ ମିନିଟ୍ ମଧ୍ୟରେ ହରାଇ ଦେଇଥିଲେ। ୨୦୧୯ ଚାମ୍ପିଅନ୍ ଷଷ୍ଠ ସିଡ୍ ସିନ୍ଧୁ ପ୍ରାରମ୍ଭରେ ତୁରନ୍ତ ୪-୧ର ଅଗ୍ରଣୀ ଲାଭ କରିଥିଲେ। ରେପିସ୍କା ଦୁଇ ପଏଣ୍ଟ ଜିତି ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିଥିଲେ ମଧ୍ୟ ଭାରତର ପ୍ରମୁଖ ଖେଳାଳି ତାଙ୍କୁ ଆଗକୁ ବଢ଼ିବାର କୌଣସି ସୁଯୋଗ ଦେଇନଥିଲେ ଏବଂ ବ୍ରେକ୍ ବେଳକୁ ୧୧-୪ରେ ଆଗୁଆ ରହିଥିଲେ। ଏହା ପରେ ନିଜ ଦବ୍‌ଦବା ଜାରି ରଖି ମାତ୍ର ୧୦ ମିନିଟ୍‌ରେ ପ୍ରଥମ ଗେମ୍ ଜିତି ନେଇଥିଲେ। ଦ୍ୱିତୀୟ ଗେମ୍‌ରେ ମଧ୍ୟ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା। ସିନ୍ଧୁ ମାତ୍ର ଦୁଇ ମିନିଟ୍‌ରେ ୬-୦ର ଅଗ୍ରଣୀ ହାସଲ କରିଥିଲେ।

ପରେ ପ୍ରଭାବୀ ପ୍ରଦର୍ଶନ ସହ ବ୍ରେକ୍ ବେଳକୁ ୧୧-୧ରେ ଆଗୁଆ ରହିଥିଲେ। ଏହା ପରେ ସହଜରେ ସେ ଗେମ୍ ସହ ମ୍ୟାଚ୍ ନିଜ ନାମରେ କରିଥିଲେ। ପ୍ରିକ୍ୱାର୍ଟର୍‌ରେ ସିନ୍ଧୁ ଥାଇଲାଣ୍ଡର ପୋର୍ନପାଇୱି ଚୋଚୁୱଙ୍ଗ୍ ଓ ବେଲ୍‌ଜିୟମ୍‌ର ଲିଆନ୍ ତାନ୍‌ଙ୍କ ମ୍ୟାଚ୍‌କୁ ବିଜେତାଙ୍କୁ ଭେଟିବେ। ଅନ୍ୟପକ୍ଷରେ ୨୦ ବର୍ଷୀୟ ଲକ୍ଷ୍ୟଙ୍କୁ ଦ୍ୱିତୀୟ ରାଉଣ୍ଡରେ ବିଜୟ ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ପାଖାପାଖି ଏକ ଘଣ୍ଟା ୨୨ ମିନିଟ୍ ଅବଧି ବିଶିଷ୍ଟ ଏହି ମୁକାବିଲାରେ ବିଶ୍ୱର ନଂ.୧୯ ଖେଳାଳି ଲକ୍ଷ୍ୟ ପଞ୍ଚଦଶ ସିଡ୍ ଜାପାନର କେଣ୍ଟୋ ନିଶିମୋଟୋଙ୍କୁ ୨୨-୨୦, ୧୫-୨୧, ୨୧-୧୮ରେ ହରାଇଥିଲେ। ନିର୍ଣ୍ଣାୟକ ଗେମ୍‌ରେ ଥକି ପଡ଼ିଥିଲେ ମଧ୍ୟ ଲକ୍ଷ୍ୟ ନିଜ ଲୟ ବଜାର ରଖି ଅଭିଜ୍ଞ ଜାପାନୀ ଖେଳାଳିଙ୍କୁ ମାତ୍ ଦେଇଥିଲେ।

ପ୍ରିକ୍ୱାର୍ଟର୍‌ରେ ଲକ୍ଷ୍ୟ ଗୁଏଟ୍‌ମାଲାର କେଭିନ୍ କର୍ଡନ୍‌ଙ୍କୁ ଭେଟିବେ। ଏହା ବିଶ୍ୱ ଲକ୍ଷ୍ୟ ଓ ବିଶ୍ୱର ନଂ.୪୩ କର୍ଡନ୍‌ଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହେବ। ଅନ୍ୟପକ୍ଷରେ ପ୍ରଥମ ଗେମ୍‌ରେ ପରାସ୍ତ ହେବା ସତ୍ତ୍ୱେ ଶ୍ରୀକାନ୍ତ ଚୀନ୍‌ର ଲି ଶି ଫେଙ୍ଗ୍‌ଙ୍କୁ ୧୫-୨୧, ୨୧-୧୮, ୨୧-୧୭ରେ ହରାଇ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ସେ ଚୀନ୍‌ର ଲୁ ଗୁଆଙ୍ଗ୍ ଜୁ ଓ ଚୀନା ତାଇପେଇର ଚୋଉ ତିଏନ୍ ଚେନ୍‌ଙ୍କ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ। ପୁରୁଷ ଡବଲ୍ସରେ ଅଷ୍ଟମ ସିଡ୍ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଭାରତୀୟ ଯୋଡ଼ି ଚୀନା ତାଇପେଇର ଲି ଝି ହୁଏଇ-ୟାଙ୍ଗ୍ ପୋ ସୁଆନ୍ ଯୋଡ଼ିକୁ ୪୩ ମିନିଟ୍ ଅବଧି ବିଶିଷ୍ଟ ମ୍ୟାଚ୍‌ରେ ୨୭-୨୫, ୨୧-୧୫ରେ ପରାସ୍ତ କରିଥିଲେ। କିନ୍ତୁ ସୌରଭ ବର୍ମା-ଅନୁଷ୍କା ପାରିଖ୍‌ଙ୍କ ଭାରତୀୟ ମିକ୍ସଡ୍ ଡବଲ୍ସ ଯୋଡ଼ି ମାଲେସିଆର ତାନ୍ କିୟାନ୍ ମେଙ୍ଗ-ଲାଇ ପେଇ ଜିଙ୍ଗ୍ ଯୋଡ଼ିଠାରୁ ୮-୨୧, ୧୮-୨୧ରେ ହାରିଯାଇଛନ୍ତି।