ଏବେ ସାରା ଓଡ଼ିଶା ପାଇବେ ସ୍ମାର୍ଟ ଚିକିତ୍ସା ସୁବିଧା, ଶେଷ ଦିନରେ କେନ୍ଦ୍ରାପଡ଼ା, ଯାଜପୁର ସାମିଲ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସାରା ଓଡ଼ିଶା ଏବେ ‘ସ୍ମାର୍ଟ’। ସ୍ୱାସ୍ଥ୍ୟସେବା ଇତିହାସରେ ମିଳିଛି ସବୁଠାରୁ ବଡ଼ ସଫଳତା। ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ସେଇ ସୁବିଧା ପାଇସାରିଛନ୍ତି। ରାଜ୍ୟ ସରକାର ବି ଦେଇଛନ୍ତି ୨୭୮ କୋଟି ଟଙ୍କାର ସହାୟତା। ଶେଷ ଦିନରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନ ଏବଂ ୩୫୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି’ ବୋଲି କହିଛନ୍ତି।

ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଘୋଷଣା ହୋଇଥିଲା ବେଳେ ଅଗଷ୍ଟ ୨୦ରେ ମାଲକାନଗିରିରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଅଭିଯାନ ଆରମ୍ଭ ହୋଇଥିଲା। ବୁଧବାର ଯାଜପୁରରେ ହିଁ ତାହା ଉଦ୍‌ଯାପିତ ହୋଇଛି। ରାଜ୍ୟର ଗରିବ ଲୋକଙ୍କୁ ସବୁଦିନ ପାଇଁ ମିଳିଛି ଚିକିତ୍ସା ଖର୍ଚ୍ଚରୁ ମୁକ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଫଳରେ ରାଜ୍ୟର ୩୦ଟି ଜିଲ୍ଲା ଏହି ସ୍ମାର୍ଟ ଯୋଜନାରେ ସାମିଲ ହୋଇନ୍ତି। କେନ୍ଦ୍ରାପଡ଼ାର ସାଢେ ୧୧ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଯାଜପୁରର ୧୫ ଲକ୍ଷ ୪୦ ହଜାର ଲୋକ ସ୍ମାର୍ଟ କାର୍ଡ ସୁବିଧା ପାଇବେ। ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟବାସୀଙ୍କୁ ଚିକିତ୍ସା ଖର୍ଚ୍ଚ ଚିନ୍ତା ଦୂର କରିବ। ଖଣ୍ଡିଏ କାର୍ଡ ଧରି ରାଜ୍ୟର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଦେଶର ସବୁଠାରୁ ଭଲ ହସ୍ପିଟାଲରେ ବିନା ପଇସାରେ ପାଇପାରିବ ଚିକିତ୍ସା ସୁବିଧା। କାରଣ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ସେ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସାରା ରାଜ୍ୟରେ ବିଏସ୍‌କେୱାଇ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହିଦିନ ଠାରୁ ଓଡ଼ିଶାର ଲୋକେ ସେବା ପାଇଛନ୍ତି। ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେ କହିଥିଲେ, କେନ୍ଦ୍ରାପଡ଼ା ଥିଲା ବିଜୁ ବାବୁଙ୍କ କର୍ମ ଭୂମି। କେନ୍ଦ୍ରାପଡାବାସୀଙ୍କ ସୁଖଦୁଃଖରେ ସେ ସାମିଲ ଥିଲେ। ଆଜି ମଧ୍ୟ କେନ୍ଦ୍ରାପଡ଼ାର ମାଟି, ପାଣି ଓ ପବନରେ ବିଜୁ ବାବୁଙ୍କ ସ୍ମୃତି ଜଡ଼ିିତ ହୋଇ ରହିଛି। କେନ୍ଦ୍ରାପଡ଼ାରେ ଶିଳ୍ପର ବିକାଶ ପାଇଁ ବହୁ ଦିନ ଧରି ଦାବି ଥିଲା। ଜିଲ୍ଲାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଶ୍ୱ ପ୍ରସିଦ୍ଧ ଷ୍ଟିଲ କମ୍ପାନୀ ଆର୍ସେଲର ମିତ୍ତଲ ସହିତ ରାଜିନାମା କରିଛନ୍ତି। ଏହାଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ଦେଶର ଶିଳ୍ପ ମାନଚିତ୍ରରେ ଯୋଡ଼ି ହେବ। ଜିଲ୍ଲାର ଭୂମିହୀନ ଚାଷୀଙ୍କ ପାଇଁ ବଳରାମ ଯୋଜନାରେ ୨୧ ହଜାର ଚାଷୀଙ୍କୁ ୪୩ କୋଟି ଟଙ୍କାର ସହାୟତା ଦିଆଯାଇଛି। ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଯାଜପୁରରେ ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ଜିଲ୍ଲାରେ ପିଇବା ପାଣି ସମସ୍ୟା ସମାଧାନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଯାଜପୁର ମ୍ୟୁନିସ୍‌ପାଲଟିର ସବୁ ପରିବାରକୁ ପାଇପ୍ ପାଣିର ସୁବିଧା ଦିଆଯାଇପାରିଛି। ବ୍ୟାସନଗର ସହିତ ଆଉ ୮ଟି ବ୍ଲକ୍‌ରେ ପାଇପ୍ ପାଣି ପାଇଁ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ସେହିପରି ବରି ଓ କୋରେଇ ବ୍ଲକ୍ ପାଇଁ ମଧ୍ୟ ପାଇପ୍ ପାଣିର ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି। ୨୦୨୪ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ୍ ପାଣିର ସୁବିଧା ଯୋଗାଇ ଦିଆଯିବ।

କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଏବଂ ଯାଜପୁରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଯାଜପୁରର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଓଡ଼ିଶା ଆଜି ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ କହିଥିଲେ।