ବାଇପାସ ରାସ୍ତା ନିର୍ମାଣ ଦାବୀରେ ଶାନ୍ତିପୂର୍ଣ୍ଣ ଧାରଣା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ଼ ରେଳ ଫାଟକରେ ବାଇପାସ ରାସ୍ତା ନିର୍ମାଣ ଦାବୀରେ ସାବାସ ସଂଗଠନ ସଭାପତି କପିଳ ସୁନାଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଲାଠୋର ସରପଞ୍ଚ ଜୟଶ୍ରୀ ଭଇଁଷାଲ ଓ ପୂର୍ବତନ ସରପଞ୍ଚଞ୍ଚ ପ୍ରବୀଣ ଅଗ୍ରୱାଲ ଧାରଣାଙ୍କୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେବାସହ ଗ୍ରାମର ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ସମର୍ଥନ କରିଥିଲେ । ୧୯୩୦ ମସିହାରୁ ଏହି ରାସ୍ତା ଦେଇ ରେଳ ଚଳାଚଳ କରୁଛି । ହେଲେ ଏବେ ଲାଇନ ଦୋହରୀକରଣ ହୋଇଥିବାରୁ ଅହରହ ରେଳ ଚଳାଚଳ କରୁଥିବାରୁ ପ୍ରାୟ ସମୟ ଫାଟକ ପଡୁଛି । ଲୋକେ ଯିବା ଆସିବା ପାଇଁ କୌଣସି ବାଇପାସ ରାସ୍ତାର ବ୍ୟବସ୍ଥା ନଥିବାରୁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ରୋଗୀମାନେ ଚିକିତ୍ସା ପାଇଁ ଯିବା ସମୟରେ ଅସୁବିଧା ହେଉଥିବାରୁ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ସେଥିପାଇଁ ଏହି ରାସ୍ତାରେ ଏକ ବାଇପାସ ନିର୍ମାଣ ଦାବୀ ନେଇ ଗତକାଲି ରେଳ ଫାଟକ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣ ଦିଆଯାଇଥିଲା । ପରେ ୬ଜଣିଆ ପ୍ରତିନିଧି ହରିଶଙ୍କର ରୋଡ ଷ୍ଟେସନ ମାଷ୍ଟରଙ୍କୁ ସମ୍ବଲପୁର ରେଳ ଡିଭିଜନ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ଓ ଆସନ୍ତା ମାସକ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ରେଳରୋକ କରାଯିବ ବୋଲି କହିଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ଆରପିଏଫ ସବଇନ୍ସପେକ୍ଟର ଏମକେ ତ୍ରିପାଠୀ, ଏଏସଆଇ ଡିଏମ ଲୁହା, ଜିଆରପି ଏଏସଆଇ ଡିକେ ଡୁଙ୍ଗଡୁଙ୍ଗ ଓ ଲାଠୋର ପୁଲିସ ଉପସ୍ଥିତ ଥିଲେ ।