କୁଆଁପାଳ,ଏନ୍ଏନ୍ଏସ୍: ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱର ଶୌବ ପୀଠରେ ରୁଦ୍ର ମହାଯଜ୍ଞ ଅବସରରେ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱର ସାହିତ୍ୟ ସଂସଦ ପାଣ୍ଡିଆ ପକ୍ଷରୁ ଅବସରପ୍ରାପ୍ତ ଅନୁନୀରିକ୍ଷକ ତଥା ସାହିତ୍ୟିକ ଶ୍ୟାମସୁନ୍ଦର ଲେଙ୍କାଙ୍କ ସ୍ୱରଚିତ ପୁସ୍ତକ ‘ସନ୍ଥ ଦର୍ଶନ’ର ଲୋକାର୍ପଣ ଉତ୍ସବ ଓ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଓଟିଭିର ନିର୍ଦ୍ଦେଶକ ଜୟନ୍ତ ଦାସ ଯୋଗଦେଇ ପୁସ୍ତକ ରଚନା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପରିବେଶବିତ ତଥା ଖାନ୍ନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ, ନାଟ୍ୟକାର ଅଭୟ ଦାସ, ପ୍ରାବନ୍ଧିକ ଡ. ଏକାଦଶୀ ପ୍ରଧାନ, ଭଦ୍ରେଶ୍ୱର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କମଳାକାନ୍ତ ରାଉତ ପ୍ରମୁଖ ଯୋଗଦେଇ ସାହିତ୍ୟ ପାଇଁ ମାନସିକତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବରିିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଭକ୍ତ ଚରଣ ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଗୌତମ ଚରଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କୃଷକ ନେତା ରାମଚନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଉମାକାନ୍ତ ସାମଲ, ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ, କବି ପ୍ରଫୁଲ୍ଲ କୁମାର ସିଂ, ବିଜୟ କୁମାର କୁଅଁର, କୁଞ୍ଜ କଳିକାର ସମ୍ପାଦକ ରାଜକିଶୋର ମିଶ୍ର, ସ୍ତମ୍ଭକାର ବିବେକାନନ୍ଦ ଦାସ, କବି ପ୍ରତାପ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କବି ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।