ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପାଇଁ ଆଗକୁ ଲାଗୁ ହେବାକୁ ଯାଉଛି ୩ ଦିନିଆ କର୍ଫ୍ୟୁ। ପୁରୀ ସହରର ସମସ୍ତ ଅଞ୍ଚଳରେ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ସକାଳ ୮ଟା ଯାଏଁ କର୍ଫ୍ୟୁ ଲଗାଯିବ। ରଥ ଯାତ୍ରାରେ ଭିଡ କମାଇବାକୁ ତଥା ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ରଥ ଯାତ୍ରା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ ପୁରୀ ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ପୂର୍ବରୁ ଶନିବାର ସଟଡାଉନ୍ କଟକଣାକୁ କୋହଳ କରାଯାଇଛି।
ପୁରୀରେ ଶନିବାର ସଟଡାଉନ୍ ଉଠାଯିବା ନେଇ ଆଜି ଏସଆରସିଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏବର୍ଷ ରଥଯାତ୍ରା ପୂର୍ବରୁ ପୂରା ସହରରେ କର୍ଫ୍ୟୁ ଲଗାଇବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।
ସାରା ସହରରେ ୧୪୪ ଧାରା ଜାରି ହେବ। ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିବ। ପ୍ରବେଶ ପଥ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ। ଜୁଲାଇ ୧୨ ତାରିଖ ସାରା ଦିନ ଏହି କଟକଣା ବଳବତ୍ତର ରହିବା ପରେ ପରଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ଏହି କଟକଣାକୁ ହଟାଇ ଦିଆଯିବ। ତଥାପି ରଥ ପହଞ୍ଚିବାକୁ ନେଇ କଟକଣା ବଢ଼ିପାରେ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।