କାଲିଠାରୁ ରାୟଗଡ଼ାରେ ଖୋଲିବ ଧର୍ମପୀଠ

ଋାୟଗଡ଼ା,ଏନ୍ଏନ୍ଏସ୍: କରୋନା ପ୍ରଭାବରେ ଦୀର୍ଘ ଦିନରୁ ସାଧାରଣ ଭକ୍ତଙ୍କ ପାଇଁ ଧର୍ମସ୍ଥଳୀ ବନ୍ଦ ରହିଥିଲା। ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିଥିବାରୁ ପ୍ରଶାସନ ପକ୍ଷରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବହୁ ସ୍ଥାନରେ ଧର୍ମପୀଠ ଗୁଡ଼ିକୁ ପ୍ରଶାସନ କଟକଣା ଭିତରେ ଖୋଲିଛନ୍ତି। ଏହି ମଧ୍ୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ମଧ୍ୟ ଆସନ୍ତାକାଲିଠୁ ଧର୍ମସ୍ଥଳୀଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି। ଧର୍ମାନୁଷ୍ଠାନ ଗୁଡ଼ିକରେ ଏକାଥରକେ ୧୦ ଜଣ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଛି। ଦର୍ଶନ ସମୟରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ହାତକୁ ସାନିଟାଇଜର କରିବାକୁ ଗୁରୁତ୍ୱ ଦିଆଯାଇଛି। ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗାଇଡଲାଇନ ଜାରି କରିଛନ୍ତି।

ଆଜି ଜିଲ୍ଲାପାଳଙ୍କ ଜୁଡ଼ିସିଆଲ ବିଭାଗର ନୂତନ ବର୍ଷର ଚିଠି ନମ୍ବର-୧ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହି କଟକଣାକୁ ଯେଉଁମାନେ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଆଗକୁ ମକର ସଂକ୍ରାନ୍ତି ଆସୁଛି। ଦକ୍ଷିଣ ଭାରତର ଏହା ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ରାୟଗଡ଼ା ସହରରେ ଆନ୍ଧ୍ରର ଛାପ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମଝିଘରିଆଣି ମନ୍ଦିରକୁ ବନ୍ଦ ରଖିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।