ପୁଣି ଆଉ ଗୋଟିଏ ଫିଲ୍ମରୁ ବାହାରିଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସମସ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଦୋସ୍ତାନା-୨, ଫ୍ରିଡା ପରେ ଏବେ ତାଙ୍କୁ ଆଉ ଏକ ଫିଲ୍ମରେ ବାହାରର ରାସ୍ତା ଦେଖିବାକୁ ମିଳିଛି। କାର୍ତ୍ତିକ ଫିଲ୍ମ ନିର୍ମାତା ଆନନ୍ଦ ଏଲ ରାୟଙ୍କ ଶୀର୍ଷକ ସ୍ଥିର ହୋଇନଥିବା ଏକ ଗ୍ୟାଙ୍ଗଷ୍ଟାର ଫିଲ୍ମରେ ଅଭିନୟ କରିଥାନ୍ତେ । କିନ୍ତୁ ଏବେ ଆନନ୍ଦ କାର୍ତ୍ତିକଙ୍କ ସ୍ଥାନରେ ଆୟୁଷ୍ମାନ ଖୁରାନାଙ୍କୁ ସାଇନ କରିବାକୁ ମନସ୍ଥ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫିଲ୍ମକୁ ନେଇ ଆନନ୍ଦ ଓ କାର୍ତ୍ତିକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କାର୍ତ୍ତିକ ଫିଲ୍ମର କାହାଣୀ ପଢ଼ିଥିଲେ ଓ ଶୁଣିଥିଲେ। କିନ୍ତୁ କାର୍ତ୍ତିକ ଫିଲ୍ମ ସାଇନ କରିବା ପୂର୍ବରୁ ହିଁ କୌଣସି କାରଣରୁ କଥା ସ୍ଥିର ହୋଇପାରିନଥିଲା। ଆନନ୍ଦ ଓ କାର୍ତ୍ତିକଙ୍କ ଏହି ଫିଲ୍ମକୁ ନେଇ ଫେବୃୟାରୀରେ ଖବର ସାମ୍ନାକୁ ଆସିଥିଲା।