ଚେନ୍ନାଇ,ଏଜେନ୍ସି : ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦେଖି ରାଜ୍ୟ ସରକାର ୪ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି । ଜୁନ୍ ୧୯ରୁ ୩୦ ସମ୍ପୂର୍ଣ୍ଣ ସଟଡାଉନ୍ ହେବ ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଚେନ୍ନାଇ, ଚେଙ୍ଗଲପଟ୍ଟୁ, ତିରୁଭଲ୍ଲୁର ଏବଂ କାଞ୍ôଚପୁରମକୁ ୧୨ ଦିନ ପାଇଁ ସଟଡାଉନ୍ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟସେବା ଜାରିରହିବ। ବିମାନ ଏବଂ ଟ୍ରେନ ସେବା ନିୟମ ମୁତାବକ ଚାଲିବ। ତେବେ କ୍ୟାବ ଏବଂ ଅଟୋ ରିକ୍ସା ଚଳାଚଳ ଉପରେ ରୋକ୍ ଲଗାଯାଇଛିି।
ଏଥିସହ ନିଜ ଘରୁ ଦୁଇ କିଲୋମିଟର ଭିତରେ ଥିବା ଦୋକାନକୁ ଜରୁରୀ ସାମଗ୍ରୀ କିଣିବାକୁ ଗଲେ ବାଇକ୍ କିମ୍ବା ସ୍କୁଟି ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ ସରକାରୀ ଅଫିସ ଖୋଲା ରହିବ। ଅଫିସରେ ୩୩ ପ୍ରତିଶତ କର୍ମଚାରୀ କାମରେ ଉପସ୍ଥିତ ରହିବାକୁ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା କର୍ମଚାରୀ ଅଫିସ ଆସିବେ ନାହିଁ। ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ତେଜରାତି ଏବଂ ପରିବା ଦୋକାନ ଖୋଲା ରହିବ।
ଗତ ରବିବାର ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ୧,୯୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୬୬୧କୁ ବୃଦ୍ଧି ପାଇଥିଲା। ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୧୫ ଜଣ ଚେନ୍ନାଇର ବାସିନ୍ଦା। ରବିବାର ସୁଦ୍ଧା କେବଳ ଚେନ୍ନାଇରେ ୩୧,୮୯୬ ଜଣ ସଂକ୍ରମିତ ହୋଇଥିଲେ।