ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୋପିୟାଁ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ସୋପିୟାଁର ବଡ଼ଗାମସ୍ଥିତ ଜେନପୁରା ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇବା ପରେ ସୁରକ୍ଷାବଳ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ସଂଘର୍ଷ ସହ ଜଡ଼ିତ ଆଉ ଏକ ଘଟଣାରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ୨ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ୪୪ ଆରଆର ଚୌଗାମ କ୍ୟାମ୍ପରୁ ସୈନିକଙ୍କୁ ନେଇ ଏକ ସୁମୋ ଘଟଣାସ୍ଥଳକୁ ଯାଉଥିଲା । ଏହି ସମୟରେ ଚାଳକ ନିୟନ୍ତ୍ରଣ ହରାଇବା ଯୋଗୁ ଗାଡ଼ିଟି ଭାରସାମ୍ୟ ହରାଇଥିଲା । ଫଳରେ ୪ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଜିଲ୍ଲା ହସ୍ପିଟାଲ ସୋପିୟାଁ ନିଆ ଯାଇଥିଲା । ସେଠାରେ ୨ଜଣ ଯବାନ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୨ଜଣଙ୍କୁ ଶ୍ରୀନଗରର ୯୨ ବେସ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।