ଗୁପ୍ତେଶ୍ୱର ପାଣ୍ଡେଙ୍କ ବିରୋଧରେ ପ୍ରାର୍ଥୀ ଦେବ ଶିବସେନା

ନୂଆଦିଲ୍ଲୀ,ଏଜେନ୍ସି: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାର୍ଥ ଦେବ ଶିବସେନା । ଏ ସମ୍ପର୍କରେ ଦଳୀୟ ସାଂସଦ ସଞ୍ଜୟ ରାଉତ ସୂଚନା ଦେଇ କହିଛନ୍ତି ଯେ, ଦଳ ବିହାର ନିର୍ବାଚନରେ ୫୦ଟି ଆସନ ପାଇଁ ପ୍ରାର୍ଥୀ ଦେବ । ଏହାଛଡ଼ା ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ବିରୋଧରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାରର ଡିଜିପି ଥିବା ଗୁପ୍ତେଶ୍ୱର ପାଣ୍ଡେ ପ୍ରଶ୍ନ ଉଠାଇବା ସହ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଥିଲେ ।

ପରେ ପରେ ସେ ଡିଜିପି ପଦରୁ ଇସ୍ତଫା ଦେଇ ଜେଡିୟୁରେ ଯୋଗ ଦେଇଥିଲେ । ଆସନ୍ତା ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ବିହାର ବିଧାନସଭା ନିର୍ବାଚନରେ ଶ୍ରୀ ପାଣ୍ଡେ ବକ୍ସାର ନିର୍ବାଚନମଣ୍ଡଳରୁ ପ୍ରାର୍ଥୀ ହେବେ ବୋଲି ଜେଡିୟୁ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀ ପାଣ୍ଡେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନିଜ ରାଜନୈତିକ ଫାଇଦା ଦିଗରେ ବ୍ୟବହାର କରିଥିବା ଶିବସେନା ନେତା ଅନୀଲ ଦେଶାଇ କହିଛନ୍ତି ।