୫ ବର୍ଷରେ ପୁଲିସ ଗୁଳିରେ ୯୧ ନକ୍ସଲ ନିହତ; ନକ୍ସଲ ଗୁଳିରେ ୮୩ ସାଧାରଣ ଲୋକଙ୍କ ଜୀବନ ଯାଇଛି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗତ ୫ ବର୍ଷ (୨୦୧୫ରୁ ୨୦୧୯) ମଧ୍ୟରେ ରାଜ୍ୟରେ ୯୧ ଜଣ ନକ୍ସଲପନ୍ଥୀ ପୁଲିସ ସହ ଗୁଳିବିନିମୟରେ ନିହତ ହୋଇଛନ୍ତି । ସେହିପରି ୮୩ ଜଣ ସାଧାରଣ ବ୍ୟକ୍ତି ନକ୍ସଲଙ୍କ ଦ୍ୱାରା ପ୍ରାଣ ହରାଇଥିବା ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖି ଶ୍ରୀ ମିଶ୍ର କହିଲେ ଯେ ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ମୋଟ ୧୮୧ ଜଣ ନକ୍ସଲ ତଥା ନକ୍ସଲ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚଳିତ ଆତ୍ମସମର୍ପଣ ଏବଂ ଥଇଥାନ ଯୋଜନା ଅନୁଯାୟୀ ଆତ୍ମସମର୍ପଣ କରିଥିବା ନକ୍ସଲ କ୍ୟାଡରମାନଙ୍କର ଥଇଥାନ ପାଇଁ ଜିଲ୍ଲାସ୍ତରୀୟ ଥଇଥାନ କମିଟିର ସୁପାରିସ ଅନୁଯାୟୀ ସହାୟତା ମଞ୍ଜୁର କରାଯାଉଛି ।

ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ସେମାନଙ୍କ ଶ୍ରେଣୀ ଭିତ୍ତିରେ ଦେଢ଼ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାର ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି ରାଜ୍ୟ ସରକାରଙ୍କ ‘ଥଇଥାନ ଏବଂ ପୁନର୍ବାସ ଯୋଜନା’ ଅନୁଯାୟୀ ୪ ଡେସିମିଲ ବାସୋପଯୋଗୀ ଜମି ବା ତତୁଲ୍ୟ ଅର୍ଥରାଶି ଯୋଗାଇ ଦିଆଯାଉଛି । ଅନ୍ୟପକ୍ଷରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କଲେ ୩୫ ହଜାର ଟଙ୍କା ସହ ସେମାନଙ୍କ ପାଇଁ ଧନ୍ଦାମୂଳକ ତାଲିମ ପ୍ରଦାନ ଏବଂ ଏ ବାବଦରେ ସର୍ବାଧିକ ୩୬ ମାସ ପର୍ଯ୍ୟନ୍ତ ମାସିକ ୪୦୦୦ ଟଙ୍କା ପ୍ରଦାନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।