ପୁଣି ବଢିଲା ସଞ୍ଜୟ ରାଉତଙ୍କ ଜେଲ ଅବଧି

ମୁମ୍ବାଇ,ଏଜେନ୍ସି: ଲ୍ୟାଣ୍ଡ ସ୍କାମ ମାମଲାରେ ଗିରଫ ହୋଇ ଜେଲରେ ଥିବା ବରିଷ୍ଠ ଶିବସେନା ନେତା ତଥା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ଜେଲ ଅବଧି ବୃଦ୍ଧି କରିଛନ୍ତି କୋର୍ଟ । ସଞ୍ଜୟ ଆସନ୍ତା ମାସ (ସେପ୍ଟେମ୍ବର) ୫ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ । ସେ ବର୍ତ୍ତମାନ ବିଚାର ବିଭାଗୀୟ ବନ୍ଦୀ ଭାବେ ମୁମ୍ବାଇର ଆର୍ଥରରୋଡ ଜେଲରେ ରହିଛନ୍ତି ।

ଆଜି (ସୋମବାର) ସେ ବମ୍ବେ ସେସନ କୋର୍ଟ ଅଧୀନ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର ହୋଇଥିଲେ । ଆଜି ମଧ୍ୟ ତାଙ୍କ ଜାମିନ ଖାରଜ ହେବା ସହ ତାଙ୍କ ବିଚାର ବିଭାଗୀୟ ଜେଲ ଅବଧି ବୃଦ୍ଧି କରିଛନ୍ତି କୋର୍ଟ । ଆଜି ମାମଲାର ଶୁଣାଣି ଜଷ୍ଟିସ ଏମ.ଜି ଦେଶପାଣ୍ଡେ କରିଥିଲେ । ବହୁଚର୍ଚ୍ଚିତ ପାତ୍ରଚାଲ ଲ୍ୟାଣ୍ଡ ସ୍କାମ ମାମଲାରେ ଏକାଧିକ ଥର ଜେରା ପରେ ଅଗଷ୍ଟ ୧ ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଗିରଫ ପରେ ପ୍ରଥମ ପର୍ଯ୍ୟାୟରେ ଅଧିକ ଜେରା ପାଇଁ ତାଙ୍କୁ ପ୍ରଥମେ ଦୁଇ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ପଠାଯାଇଥିଲା । ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଆଜି ତାଙ୍କ ପ୍ରଥମ ପର୍ଯ୍ୟାୟ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ ପୁଣି କୋର୍ଟରେ ହାଜର କରାଯାଇଥିଲା । ପୁଣି ତାଙ୍କୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟକୁ ପଠାଇଛନ୍ତି କୋର୍ଟ ।