କଂଗ୍ରେସ ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ଥରୁର-ଦିଗବିଜୟ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ଦିଗବିଜୟ ସିଂହ । ଗୁରୁବାର ଦିଗବିଜୟ କଂଗ୍ରେସର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ପ୍ରାର୍ଥୀପତ୍ର ନେଇଛନ୍ତି । ଆଜି(ଶୁକ୍ରବାର) ଦିନ ୧୧ଟାରୁ ୩ଟା ମଧ୍ୟରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ତାଙ୍କ ପାଇଁ ମଧ୍ୟପ୍ରଦେଶର ୧୨ ଜଣ ବିଧାୟକ ପ୍ରସ୍ତାବକ ରହିବେ ବୋଲି ଜଣାପଡିଛି । ଅନ୍ୟପଟେ ସାଂସଦ ଶଶି ଥରୁର ମଧ୍ୟ ଆଜି ପୂର୍ବାହ୍ନ ୧୨ଟା ୧୫ ମିନିଟ୍ ସମୟରେ ୨୪ ଆକରବ ରୋଡ ସ୍ଥିତ କଂଗ୍ରେସ ହେଡକ୍ବାର୍ଟର ଯିବାକୁ ଥିବା ସୂଚନା ମିଳିଛି ।

ଥରୁର ନାମାଙ୍କନ ଭରିବା ପରେ ପୂର୍ବାହ୍ନ ୧ଟାରେ ୯୭ ଲୋଧି ରୋଡସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରିବେ । ଅନ୍ୟପଟେ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ସେ ଘୋଷଣା କରିଛନ୍ତି । ଗେହଲଟ ସଭାପତି ରେସ୍‌ରୁ ବାଦ୍ ପଡିବା ପରେ ଏବେ ଶଶି ଥରୁର ଏବଂ ଦିଗବିଜୟ ସିଂହ ହିଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ଜଣାପଡିଛି । ତେବେ ଆଜି ନାମାଙ୍କନ ଭରିବାର ଶେଷ ତାରିଖ ଥିବାବେଳେ ଏହି ଦୁଇ ବରିଷ୍ଠ ନେତାଙ୍କ ବ୍ୟତୀତ ଅନ୍ୟ କେହି ସଭାପତି ନିର୍ବାଚନ ଲଢିବେ ନା ନାହିଁ ତାହା ଆଜି ଜଣାପଡିବ ।