କାଶ୍ମୀରର ୨ଟି ସ୍ଥାନରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କାଶ୍ମୀରର ସୋପିଆନ ଓ ବାରମୁଲ୍ଲା ଜିଲ୍ଲାରେ ଏନକାଉଣ୍ଟର ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । ଦକ୍ଷିଣ କାଶ୍ମୀର ସୋପିଆନ ଜିଲ୍ଲା ଚିତ୍ରାଗାମ ଓ ବାରମୁଲ୍ଲା ଜିଲ୍ଲା ପାଟ୍ଟନର ୟାଦିପୋରାରେ ଏନକାଉଣ୍ଟର ହୋଇଛି ।

ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛନ୍ତି ସୁରକ୍ଷା ବଳର ଯବାନ । ଅପରେସନରେ ସେନା, ସିଆରପିଏଫ ଓ ପୁଲିସ ସାମିଲ ଥିବା ସୂଚନା ମିଳିଛି । ଏନେଇ କାଶ୍ମୀର ଜୋନ ପୁଲିସ ଟ୍ବିଟ୍‌ କରି ସୂଚନା ଦେଇଛି । ସେହିପରି ବାରମୁଲ୍ଲା ଜିଲ୍ଲା ପାଟ୍ଟନର ୟାଦିପୋରାରେ ସୁରକ୍ଷାବଳର ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୁଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ଶେଷଥର ପାଇଁ ସେପ୍ଟେମ୍ବର ୧୨ ତାରିଖରେ ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେପ୍ଟେମ୍ବର ୫ ତାରିଖରେ ସୋପିଆନ ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର ହୋଇଥିଲା । ସେହିପରି ସେପ୍ଟେମ୍ବର ୭ ତାରିଖରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ ।