ପ୍ରୋତ୍ସାହନ ଅଭାବ ଓ ଜଙ୍ଗଲ କ୍ଷୟ ଯୋଗୁଁ ହଜିଯାଉଛି ଶାଳପତ୍ର ଖଲିଦନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପତ୍ର ଯେ କାହାକୁ ପରିଚୟ ଦେଇପାରେ, କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଝାରସୁଗୁଡ଼ା ଜିଲ୍ଲା ମୁଚବାହାଲ ଗ୍ରାମକୁ ଶାଳପତ୍ର ଏକ ସ୍ୱତନ୍ତ୍ର ପରିଚୟ ଦେବାସହ ଗ୍ରାମର ମହିଳାମାନଙ୍କୁ ଆତ୍ମନିର୍ଭର କରିଥିଲା। ମୁଚବାହାଲ ଗ୍ରାମର ମହିଳାମାନେ ଏକଦା ପିଢି ପରେ ପିଢି ଶାଳ ପତ୍ରରେ ଖଲି ଦନା ତିଆରି କରି ବିକ୍ରି କରୁଥିଲେ। ଏଥିରୁ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣରେ ସହଯୋଗର ହାତ ବଢାଉଥିଲେ।
ବର୍ତ୍ତମାନ ଜିଲ୍ଲାରେ ଖଣି ଖାଦାନ ଓ ଶିଳ୍ପର ବିକାଶ ଯୋଗୁଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଫଳରେ ମୁଚବାହାଲ ନିକଟ ଜଙ୍ଗଲରେ ଆଉ ଶାଳପତ୍ର ମିଳୁନାହିଁ। ପୂର୍ବରୁ ଏହି ମହିଳାମାନଙ୍କୁ ଘର ପାଖରେ ଶାଳପତ୍ର ମିଳିଯାଉଥିବାବେଳେ ଏବେ ଏମାନଙ୍କୁ ପ୍ରାୟ ୧୦ କିଲୋମିଟର ଦୂର ଗ୍ରୀଣ୍ଡୋଲା ଜଙ୍ଗଲକୁ ଯିବାକୁ ପଡୁଛି।

ଅନ୍ୟପଟେ ପ୍ଲାଷ୍ଟିକ ତଥା ଅନ୍ୟାନ୍ୟ ସାମଗ୍ରୀରେ ନିର୍ମିତ ଖଲିଦନା ବଜାରରେ ମିଳିବା ପରେ ଏହି ଶାଳ ପତ୍ରରେ ନିର୍ମିତ ଖଲି ଦନାର ଉପଯୁକ୍ତ ପାରିଶ୍ରମିକ ମଧ୍ୟ ମିଳିପାରୁ ନାହିଁ। ଫଳରେ ଆଗାମୀ ପିଢି ଏହି କାମ ନକରି କଳକାରଖାନା ଅବା ଖଣିରେ ଦିନମଜୁରି କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ପୂର୍ବରୁ ଗ୍ରାମର ପ୍ରାୟ ସମସ୍ତେ ଶାଳପତ୍ରରେ ଖଲି ଦନା ତିଆରି କରି ମୁଚବାହାଲ ଗ୍ରାମ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣିଥିବା ବେଳେ ଏବେ ମାତ୍ର ୧୦-୧୫ ଘର ଖଲିଦନା ତିଆରି କରୁଛନ୍ତି। ବର୍ତ୍ତମାନ ସମୟରେ ୧୦୦ ଖଲିକୁ ମାତ୍ର ୩୦ ଟଙ୍କା ଓ ଦନାକୁ ୨୦ ଟଙ୍କା ମିଳୁଛି। ଯାହା ପରିଶ୍ରମ ଅନୁସାରେ ଖୁବ କମ୍। ତେଣୁ ଯିବପିଢି ଏହି କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନଥିବା ଗ୍ରାମର ଯଶୋଦା କିସାନ(୭୫) କହିଛନ୍ତି।