ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ସେସଖାଲ ଥାନା ପୁଲିସ ଏକ ଡକାୟତ ଦଳକୁ ଧରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ସେସଖାଲ ଥାନା ଅଞ୍ଚଳର ସେଲ୍ଫ ହେଲ୍ପ ଗ୍ରୁପ ମାନଙ୍କୁ ଋଣ ଯୋଗାଉଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ ନାମକ ସଂସ୍ଥାର ଜଣେ କର୍ମଚାରୀ ରାମଚନ୍ଦ୍ରପୁରରୁ ଋଣ ଆଦାୟ କରି ଫେରୁଥିବା ବେଳେ ପିପିଲିଗୁଡା ବାଇସିଙ୍ଗ ରାସ୍ତା କତାର ନାଳ ନିକଟରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଛୁରି ଦେଖାଇ ଡକାୟତି କରିଥିଲେ। ଏନେଇ ୧୯ ତାରିଖରେ ସଂସ୍ଥାର କର୍ମଚାରୀ ବୃନ୍ଦାବନ ହରିଜନ ସେସଖାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଆଜି ଡକାୟତି ଦଳର ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ସେସଖାଲ ପୁଲିସ। ୩ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି। ରାମଚନ୍ଦ୍ରପୁରର କାମେଶ ରାଓ ବାଗଚି ଯିଏକି କର୍ମଚାରୀ ଜଣକ ଋଣ ଆଦାୟ କରି ଫେରୁଥିବା ନେଇ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମିଶାଇ ୩ ଜଣ ଗିରଫ ହୋଇଛନ୍ତି। ଲୁଟ ହୋଇଥିବା ମୋଟ ୬୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରୁ ୧୭ ହଜାର ଟଙ୍କା, ଡକାୟତିରେ ବ୍ୟବହାର କରିଥିବା ୫ଟି ମୋବାଇଲ, ୨ଟି ଛୁରି, ୨ଟି ମୋଟର ସାଇକେଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅନ୍ୟମାନଙ୍କୁ ଧରିବା ଉଦ୍ୟମ ଜାରି ରହିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସଡିପିଓ ଦିବ୍ୟଜ୍ୟୋତି ଦାସ।