ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଏମ୍ସ ଡାଇରେକ୍ଟରଙ୍କ ସମର୍ଥନ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ଦ୍ୱିତୀୟ ଲହର ଆରମ୍ଭରୁ ଦେଶର ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ଏହାକୁ ୫ ମାସ ହୋଇଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯାଉଛି। ଏହି ମଧ୍ୟରେ ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ କହିଛନ୍ତି କି ଯଦି ଟିକା ଆସିଯାଉଛି, ତା ପରେ ମଧ୍ୟ ସମସ୍ତ ପିଲାଙ୍କୁ ଟିକାକରଣ କରିବାକୁ ପାଖାପାଖି ୯ ମାସ ସମୟ ଲାଗିଯିବ। ଯଦି ଆମେ ଟିକାକୁ ଅପେକ୍ଷା କରିବା ତା ହେଲେ ଆସନ୍ତା ବର୍ଷର ଅଧା ମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ତେଣୁ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରିବା ଠିକ ନୁହେଁ। ଏଥିସହିତ ସ୍କୁଲ ଯିବା ପିଲାମାନଙ୍କ ମାନସିକ ପ୍ରତି ମଧ୍ୟ ଠିକ ରହିବ ବୋଲି ଗୁଲେରିଆ କହିଛନ୍ତି।

ଏଥିସହିତ ସେ କହିଛନ୍ତି କି କେରଳରେ କରୋନା ସଂକ୍ରମଣ ମାମଲା ଅଧିକ ରହିଛି। ତେଣୁ ସେଠାରେ ସ୍କୁଲ ଖୋଲିବା କଥା ନୁହେଁ। କିନ୍ତୁ ଯେଉଁଠାରେ ସଂକ୍ରମଣ କମ ରହିଛି ସେଠି ସ୍କୁଲ ଖୋଲାଯାଇପାରିବ। ଅନ୍ୟପଟେ ସମସ୍ତ ପିଲାଙ୍କ ପାଇଁ ଅନଲାଇନ ପାଠପଢ଼ା ସମ୍ଭବ ହେଉନି, ତେଣୁ ସ୍କୁଲ ଖୋଲିବା ଜରୁରୀ ବୋଲି ଗୁଲେରିଆ କହିଛନ୍ତି। ଏନେଇ ସ୍କୁଲ ଶିକ୍ଷକ ଓ ଷ୍ଟାଫ୍ ମାନଙ୍କୁ ଅତିଶୀଘ୍ର ଟିକାକରଣ କରାଇ ନେବାକୁ ଜୋର ଦେଇଛନ୍ତି। ସ୍କୁଲ ଖୋଲିବା ସମୟରେ ଭିଡକୁ ନିୟନ୍ତ୍ରଣ କରିବା ସହିତ କୋଭିଡ ଗାଇଡଲାଇନର ଅନୁସରଣ କରିବାକୁ ମଧ୍ୟ କହିଛନ୍ତି।