କାଶୀପୁର ବ୍ଲକ୍‌ର ୩୨୮ ଗାଁକୁ ବଢିଲା ସର୍ଭେଲେନ୍ସ , ବିଶୋଧନ ହେଲା ୨୮୯ ଗାଁ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗତ ୨୨ ଦିନ ବ୍ୟାପିଥିବା ହଇଜା ଥମିବାର ନା ନେଉନଥିବା ବେଳେ ଏବେ ମୃତ୍ୟୁକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ବ। ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବାସହ ଦିନେ ଦୁଇଦିନ ବ୍ୟବଧାନରେ ଜଣେ ଦୁଇଜଣଙ୍କ ମୃତ୍ୟୁ ମୁଣ୍ଡ ବ୍ୟଥା ପାଲଟିଛି ଜିଲ୍ଲା ପ୍ରଶାସନ। ସେପଟେ ହାଇଜାରେ କାଶୀପୁର ବ୍ଲକରେ ମାସ୍କ ମଧ୍ୟରେ ହୋଇଥିବା ମୃତ୍ୟୁକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ବ। ଜିଲ୍ଲା ପ୍ରଶାସନ ସଂଖ୍ୟା ଗୋଟିଏ ଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ସଂଖ୍ୟା ଆଉଗୋଟିଏ ରହିଛି। ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀ କାଶୀପୁର ଗସ୍ତ ସମୟରେ ଦେଇଥିବା ସଂଖ୍ୟାରେ ମଧ୍ୟ ତାଳମେଳ ରହୁ ନାହିଁ। ଏପରି ସ୍ଥିତିରେ ଦ୍ଵନ୍ଦରେ ପଡିଯାଇଛନ୍ତି ରାଜ୍ୟବାସୀ।

ଗଣମାଧ୍ୟମ ତଥ୍ୟ ଅନୁସାରେ ଗତ ୯ରୁ ୨୭ ତାରିଖ ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ଘଟିଲାଣି। ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ୨୭ ତାରିଖ ସୁଧା ୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଵଷ୍ଟ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି। ଗଣମାଧ୍ୟମ ତଥ୍ୟ ଅନୁଯାୟୀ ଜୁଲାଇ ୯ ତାରିଖରେ ପ୍ରଥମେ ଦୁଡୁକାବାହାଲ ଗ୍ରାମର ସବିତା ନାୟକ(୪୦), ଜୁଲାଇ ୧୪ ତାରିଖରେ ଟିକିରି ଗ୍ରାମ ଧୋବା ମାଝୀ(୩୬), ଜୁଲାଇ ୧୫ ତାରିଖରେ ଟିକିରି ଗ୍ରାମର ପୁଣି ୩ ଜଣ ରଜନୀ ଝୋଡିଆ (୧୪), ଅଞ୍ଜ ଝୋଡିଆ (୧୮) ଓ ସରୋଜିନି ଝୋଡିଆ (୩୦) ଏବଂ ଗୋବରଘାଟି ଗ୍ରାମର କାନେଇ ମାଝୀ(୫୯)ଙ୍କ ମୃତ୍ୟୁ ଘଟିଥିଲା। ତା’ପରଦିନ ଅର୍ଥାତ ଜୁଲାଇ ୧୬ ତାରିଖ ଦିନ ପଞ୍ଚାଳୀ ଗ୍ରାମର ଅଗଧୁଆ ଗରଦା(୫୦), ଜୁଲାଇ ୨୩ ତାରିଖ ଦିନ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝି(୫୦) ଏବଂ ଜୁଲାଇ ୨୭ ତାରିଖ ଦିନ ଟିକିରି-ଜାମୁଗୁଡା ସାହିର ସୁନି ମାଝି (୫୬) ମୃତ୍ୟୁବରଣ କରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ଵଷ୍ଟ କରାଯାଇଛି। ଜୁଲାଇ ୧୯ ତାରିଖରେ ମାଟିକଣା ଗ୍ରାମ ଡାଲମେ ମାଝି (୬୫), ଜୁଲାଇ ୨୬ ତାରିଖରେ ଶଙ୍କରଡା ଗ୍ରାମର ଝାନୁ ମାଝି (୫୫) ଏବଂ ଜୁଲାଇ ୨୭ ତାରିଖରେ ଟିକିରି ପଞ୍ଚାୟତ ପାନବନ୍ଧ ଗାଁର ବିଟା ମାଝି (୨୭)ଙ୍କ ମୃତ୍ୟୁକୁ ଏପରିକି ତାଲିକାଭୁକ୍ତ ମଧ୍ୟ କରିନି ସ୍ୱାସ୍ଥ୍ୟ ବିଭାଗ। ଟିକିରି ଜାମୁଗୁଡା ସାହିର ସୁନି ମାଝିଙ୍କ ନିକଟରେ ଯେଉଁ ସବୁ ଲକ୍ଷଣ ଥିଲା ଡାଲମେ ମାଝି, ଝାନୁ ମାଝି ଓ ବିଟା ମାଝି ପାଖରେ ମଧ୍ୟ ସମାନ ଲକ୍ଷଣ ଥିବାବେଳେ ପରିବାର ପକ୍ଷରୁ ମଧ୍ୟ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଡାଇରିଆ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗତ ୩ ସପ୍ତାହ ମଧ୍ୟରେ ଆତଙ୍କ ଖେଳାଇଛି ହଇଜା। ତେଣୁ ପୁନର୍ବାର ଅନୁଧ୍ୟାନ ପାଇଁ ଆଜି ରାୟଗଡା ଆସିଛନ୍ତି ଆର୍‌ଏମ୍‌ଆର୍‌ସି ଟିମ୍। ଟିମ୍ ମୁଖ୍ୟ ଡାକ୍ତର ବିଭୁତିଭୂଷଣ ପାଳଙ୍କ ନେତୃତ୍ୱରେ ୪ ଜଣ ଆସି ଆଜି କାଶୀପୁର ବ୍ଲକର ବିଭିନ୍ନ ପ୍ରଭାବିତ ଗ୍ରାମକୁ ଯାଇଛନ୍ତି।

ମୁଖ୍ୟତଃ ଗତ ୪ ଦିନ ଭିତରେ ଯେଉଁ ସବୁ ଗାଁ ମାନଙ୍କରେ ଝାଡାବାନ୍ତି ବ୍ୟାପିଛି ସେଠାକୁ ଏହି ଟିମ୍ ଯାଇଛନ୍ତି। ଡେଙ୍ଗାଗୁଡା, କପାଡାଙ୍ଗ, ପାନବନ୍ଧ, ଜାମୁଗୁଡାଗ୍ରାମକୁ ଯାଇଜଳ ଓ ମଳ ନମୁନା ସଂଗ୍ରହ କରି ଥିବା ଜଣାପଡିଛି। ଏହି ନମୁନା ପରୀକ୍ଷଣ ପରେ ହଇଜା ନିନ୍ତ୍ରଣକୁ ନଆସିବାର କାରଣ ଜଣାପଡିବ। ପୁର୍ବରୁ ଯେଉଁ ଭିବ୍ରିଓ କଲେରା ଏବଂ ଇ-କଲାଇଟ ଜୀବାଣୁ ଠାବ ହୋଇଥିଲା ତାହାର ବ୍ୟତିତ ଅନ୍ୟ କ’ଣ ରହିଛି ନା ନାହିଁ ତାହାର ଅନୁସନ୍ଧାନ କରାଯିବ ବୋଲି ଡାକ୍ତର ପାଳ କହିଛନ୍ତି।

କାଶୀପପୁର ବ୍ଲକରେ ଗତ ୨୫ ଦିନରୁ ଅଧିକ ସମୟ ହେବ ବ୍ୟାପିଥିବା ହଇଜା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହେଉଥିବା ଅନୁମାନ କରାଯାଉଛି। ପ୍ରତିଦିନ ନୂଆ ନୂଆଗ୍ରାମ ଯଦିଓ ହଇଜା ପ୍ରଭାବିତ ତାଲିକାରେ ଯୋଡି ହେଉଛି ତଥାପି ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ସବୁଠାରୁ ବଡକଥା ବିଗତ ଦୁଇଦିନ ଧରି କାଶୀପୁର ବ୍ଲକରେ ବର୍ଷା ନଥିବା ଫଳରେ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ତେବେ ଏଭଳି ସ୍ଥିତି ଆଉ ଦୁଇ ଚାରି ଦିନ ଲାଗି ରହେ ତେବେ ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବ ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍‌। ବର୍ତ୍ତମାନ ହାଇଜାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୦ରୁ ଊର୍ଦ୍ଧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଣେ ଆଜି ବିଭିନ୍ନ ମେଡିକାଲରେ ୪୮ ଜଣ ହଇଜା ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ଉଷାପଡା ଉତ୍କଳ ହସ୍ପିଟାଲରେ ୧୪, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪, ଟିକିରି ଉତ୍କଳ ମେଡିକାଲରେ ୧୦ ଜଣ ଭର୍ତ୍ତି ହୋଇଛନ୍ତି। ସେହିଭଳି କୋରାପୁଟ ସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏତଦ୍‌ବ୍ୟତୀତ ଭ୍ରମ୍ୟମାଣ ୮ଟି ସ୍ୱାସ୍ଥ୍ୟ ସେବା ଟିମ୍‌ ଆଜି ବିଭିନ୍ନ ଦୁର୍ଗମ ଗାଁ’ ଗୁଡିକରେ ପ୍ରାୟ ୫୦ ଜଣଙ୍କ ଚିକିତ୍ସା କରିଛନ୍ତି ବୋଲି ଜଣାପଡିଛି।