ଡକାୟତ ମାମଲାରେ ଜଣେ ଗିରଫ

ଖଜୁରୀପଡା,ଏନ୍ଏନ୍ଏସ୍: ଖଜୁରୀପଡା ଥାନା ଅଧିନସ୍ଥ ମୁଳଗୁଦାରୀ ଗ୍ରାମର ଅଜିତ୍ ଦିଗାଲ (୨୧)ଙ୍କୁ ଡକାୟତ ମାମଲାରେ ଖଜୁରୀପଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ପ୍ରକାରେ ଅଭିଯୁକ୍ତ ଅଜିତ୍ ଏବଂ ଅନ୍ୟ ପ୍ରାୟ ୭ ଜଣ ବ୍ୟକ୍ତି ବାରପୁଲିଆ ନିକଟରେ ଡକାୟତ କରିବାକୁ ଯୋଜନା କରୁଥିବା ବେଳେ ଫୁଲବାଣୀରୁ ନୟାଗଡ଼ ବୁଲେଟ୍ ଗାଡିରେ ଯାଉଥିବା ବ୍ରଜବନ୍ଧୁ ପଣ୍ଠୋଇଙ୍କୁ ଏହି ଗ୍ୟାଙ୍ଗ ରାସ୍ତାରେ ଅଟକାଇ ତାଙ୍କ ପକେଟରୁ ଦୁଇ ହଜାର ଟଙ୍କା ଛଡାଇବା ସହ ତାଙ୍କୁ ପ୍ରବଳ ମାଡ ମାରିଥିଲେ।

କିଛି ସାଧାରଣ ଲୋକ ସେଠାରେ ପହଞ୍ଚିବା ଦେଖି ସମସ୍ତ ଡକାୟତ ଫେରାର ହୋଇଯାଇଥିଲେ। ଏନେଇ ବ୍ରଜବନ୍ଧୁ ୨୬ ତାରିଖରେ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖି ଅଜିତ୍ ଦିଗାଲଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଜିତ୍ ବ୍ୟବହାର କରୁଥିବା ଏକ ମୋଟରସାଇକେଲ ମଧ୍ୟ ପୁଲିସ ଜବତ କରିଛି। ଏନେଇ ଖଜୁରୀପଡା ଥାନା ଏସଆଇ ଦୀନବନ୍ଧୁ ପ୍ରଧାନ ୯୩/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ଅଜିତ୍ ଦିଗାଲଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୁଚନା ପ୍ରଦାନ କରିଛନ୍ତି।