୨ ଜୁଲାଇରେ ରିଲିଜ ହେବ ସିଦ୍ଧାର୍ଥ-କିଆରାଙ୍କ ଫିଲ୍ମ ‘ଶେରଶାହା’

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’ ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ। ଏବେ ଫିଲ୍ମକୁ ନେଇ ଗୁଡନ୍ୟୁଜ ସାମ୍ନାକୁ ଆସିଛି। ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନିଜର ଆଗାମୀ ଫିଲ୍ମ ‘ଶେରଶାହା’ର ଦୁଇଟି ନୂଆ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ ତାରିଖ ଅପଡେଟ ମଧ୍ୟ ଦେଇଛନ୍ତି।

ଏବେ ସିଦ୍ଧାର୍ଥ ଏବଂ କିଆରାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏହି ଫିଲ୍ମ ଜୁଲାଇ ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି କରଣ ଲେଖିଛନ୍ତି, କ୍ୟାପଟେନ ବିକ୍ରମ ବତ୍ରାଙ୍କ ଅବିସ୍ମରଣୀୟ କାହାଣୀ ବଡ଼ ପରଦାରେ ଦେଖାଯିବାକୁ ପ୍ରସ୍ତୁତ। ଏହାକୁ ନେଇ ଆମେ ଗୌରବାନ୍ୱିତ। ‘ଶେରଶାହା’ ଜୁଲାଇ ୨, ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ନଜର ଆସିବେ। ବିଷ୍ଣୁ ବର୍ଦ୍ଧନ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ପ୍ରକାଶ ଥାଉ ଯେ, ସିଦ୍ଧାର୍ଥ ଏବଂ କିଆରା ଆଜିକାଲି ନିଜ ରିଲେସନସିପକୁ ନେଇ ବହୁ ଚର୍ଚ୍ଚାରେ ଅଛନ୍ତି। ଶେରଶାହା ଫିଲ୍ମର ସୁଟିଂ ସମୟରେ ଏହି ଦୁଇଜଣ ପରସ୍ପରର ନିକଟତର ହୋଇଥିଲେ। ନିକଟରେ କିଆରା ସିଦ୍ଧାର୍ଥଙ୍କ ପିତାମାତାଙ୍କୁ ଭେଟିବାକୁ ଯାଇଥିଲେ।