ରାୟଗଡା,ଏନ୍ଏନ୍ଏସ୍: ରାୟଗଡାରେ ଆରମ୍ଭ ହୋଇଛି ସେରୋସର୍ଭେ। ୬ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମେତ ବୟସ୍କ ଶ୍ରେଣୀ ବ୍ୟକ୍ତିଙ୍କଠୁ ସଂଗ୍ରହ ହେବ ରକ୍ତ ନମୁନା। ଏଥିପାଇଁ ରାୟଗଡା ପହଞ୍ଚିଛନ୍ତି ଆରଏମଆରସିର ୯ ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟିମ। ଜିଲ୍ଲାରେ ପ୍ରାୟ ୧୦ଟି କ୍ଲଷ୍ଟରରେ ଯାଞ୍ଚ ହେବ ଲୋକଙ୍କ ମହାମାରୀ ବିରୋଧୀ ରୋଗ ପ୍ରତିରୋଧକ କ୍ଷମତା। ମହାମାରୀ କରୋନା ଭୂତାଣୁକୁ ସ୍ୱାସ୍ଥ୍ୟ ଭିତରେ ପ୍ରତିରୋଧ କରିବାକୁ କେତେ ପ୍ରସ୍ତୁତ ରହିଛି ଆଣ୍ଟିବଡି ସେନେଇ ଯାଞ୍ଚ କରିବ ଆରଏମଆରସି ଟିମ। ଏହି ପରିପ୍ରେକ୍ଷୀରେ ରାୟଗଡା ସହରର ୧୦ ନମ୍ବର ୱାର୍ଡ, ବିଷମକଟକର କୁମ୍ଭାର ଧାମୁଣି କଲୋନୀ ଅଞ୍ଚଳରେ ୧୦୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ ହୋଇଥିବା ଜଣାପଡିଛି।
ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମଣ ଉଦବେଗ ଜନକ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ତାଲିକା ସବୁଦିନ ବୃଦ୍ଧି ଘଟୁଛି। ପ୍ରଥମ ଓ ଦ୍ୱିତୀୟ ଲହରରେ କରୋନା ଭୂତାଣୁ ନିଜର କରାଳ ରୂପ ଦେଖାଇସାରିଛି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଚଳିତ ବର୍ଷ ଶେଷ ବେଳକୁ ପୁଣି ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ତେଣୁ ଏନେଇ ଏବେଠୁ ପୂର୍ବ ପ୍ରସ୍ତୁତି ପ୍ରାରମ୍ଭ କରିଥିଲେ କିଛିମାତ୍ରାରେ ଏହାର କୁପରିଣତିଠୁ ଲୋକେ ସୁରକ୍ଷିତ ରହିବେ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ବିଶେଷଭାବେ ଶିଶୁମାନେ ତୃତୀୟ ଲହରରେ ସଂକ୍ରମଣ ଶିକାର ହେବା ଯଥେଷ୍ଟ ଆଶଙ୍କା ଦେଖାଦେଇଛି। ଏହି ସମ୍ଭାବନାକୁ ଏଡାଇବା ନିମନ୍ତେ ଶିଶୁଙ୍କୁ ଟିକାକରଣ ନିମନ୍ତେ ଶିଶୁ ସ୍ୱାସ୍ଥ୍ୟ ପରାମର୍ଶଦାତା କରୋନା ମହାମାରୀର ଏକମାତ୍ର ପ୍ରତିଷେଧକ ସ୍ୱରୂପ ଟିକାକୁ କ୍ଲିନିକାଲ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଏହା ସଫଳ ପ୍ରମାଣିତ ହେଲେ ଆଗାମୀ ଦିନରେ ଶିଶୁମାନଙ୍କୁ ମଧ୍ୟ ମହାମାରୀ ସଂକ୍ରମଣଠୁ ବର୍ତ୍ତିବା ପାଇଁ ଟିକାକରଣ କରାଯିବ।
ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରୀକୁ ପ୍ରତିରୋଧ ନିମନ୍ତେ ଆଣ୍ଟିବଡି କିଭଳି ରହୁଛି ସେନେଇ ଅଖିଳ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ଦେଶର ୭୦ଟି ଜିଲ୍ଲାରେ ସେରୋସର୍ଭେ ଅନୁଷ୍ଠିତ ହେବ। ଏହି ତାଲିକାରେ ଓଡ଼ିଶାର ୩ଟି ଜିଲ୍ଲା ଯଥା- ଗଞ୍ଜମ, କୋରାପୁଟ ଓ ରାୟଗଡା ସାମିଲ ରହିଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆସିଏମଆର ଶାଖା ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ କେନ୍ଦ୍ର ପକ୍ଷରୁ ଉକ୍ତ ୩ଟି ଜିଲ୍ଲାରେ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ ଟିମ ସଂଗୃହୀତ ତଥ୍ୟ ମଧ୍ୟରୁ ୨ଟି ଡୋଜ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ନମୁନା, ଶିଶୁଙ୍କଠୁ ରକ୍ତ ନମୁନା ଓ ବୟସ୍କଙ୍କ ରକ୍ତ ନମୁନାରେ କିଭଳି ଆଣ୍ଟିବଡି ପ୍ରସ୍ତୁତ କ୍ଷମତା ରହିଛି ତା’ର ସ୍ୱାସ୍ଥ୍ୟ ବୈଜ୍ଞାନିକ ଟିମ ଅନୁଧ୍ୟାନ କରିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ।