ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ ବାନ୍ଧନବାଡ଼ି ଛକରେ ଗତକାଲି ଏକ ବାଇକ ସିରିଜ ଦୁର୍ଘଟଣାରେ ୪ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ୬୦ ବର୍ଷୀୟ ବୃଦ୍ଧ ପୂର୍ଣ ପୁଟେଲଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ପୂର୍ଣ ପୁଟେଲ ବାନ୍ଧନବାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇଥିବାବେଳେ ବଲାଙ୍ଗିର ପଟୁ ପାଟଣାଗଡ଼ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା । ଏହା ଦେଖି ପାଖରେ ଥିବା ବୁଧୁ ପଟେଲ, ରମେସ ଜାଲ ଓ ବାଇକ ଚାଳକକୁ ଉଦ୍ଧାର କରୁଥିବାବେଳେ ଆଉ ଏକ ବାଇକ ଆସି ତାଙ୍କୁ ମଧ୍ୟ ଧକ୍କା ଦେବାରୁ ସେମାନେ ଗୁରୁତର ହେବାରୁ ସମସ୍ତ ୫ ଜଣଙ୍କୁ ବଲାଙ୍ଗିର ନେଉଥିବାବେଳେ ପୂର୍ଣ୍ଣ ପୁଟେଲଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ଗାଁଲୋକେ ଜାଣିବାରୁ ସେଠାରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପାଟଣାଗଡ଼ ପୁଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ପରେ ଶାନ୍ତ ହୋଇଥିଲା । ଆଜି ସକାଳେ ବର୍ଷା ସତ୍ୱେ ସେହି ସ୍ଥାନରେ ଗାଁ ଲୋକେ ରାସ୍ତାକୁ ଆସି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀ ନେଇ ଟାୟାର ଜାଳି ରାସ୍ତାରୋକ କରିବା ଫଳରେ କିଛି ସମୟ ପର୍ଯ୍ୟନ୍ତ ବଲାଙ୍ଗିର ପାଟଣାଗଡ଼ ରାସ୍ତା ଯାତାୟତ ଠଫ ହୋଇଥିଲା । ଖବର ପାଇ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ ଓ ତହସିଲଦାର ଲକ୍ଷଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାସହ ଆହତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ଖର୍ଚ୍ଚ ଓ ମୃତକଙ୍କ ସ୍ତ୍ରୀଙ୍କୁ ମଧୁବାବୁ ପେନସନରେ ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।