ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ରାୟଗଡ଼ା,ଏନ୍ଏନ୍ଏସ୍: ଆଜି କାଶିପୁର ବ୍ଲକ୍ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି କାର୍ଯ୍ୟାଦେଶ ଦେବା ନିମନ୍ତେ ଜଣେ ଠିକାଦାରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗି ଭିଲିଲାନ୍ସ ଜାଲରେ ପଡିଛନ୍ତି। ଘଟଣାକ୍ରମେ ବିଧାୟକ ପାଣ୍ଠି ଅନୁଦାନରେ ଏକ ଯାତ୍ରୀ ବିଶ୍ରାମଗାର କାର୍ଯ୍ୟାଦେଶ ପାଇଁ କାଶିପୁର ବ୍ଲକ୍ କାର୍ଯ୍ୟାଳୟର କିରାଣି ପ୍ରକାଶ ଚନ୍ଦ୍ର ସାହୁ ଠିକାଦାର ବିଳାଶ କୁମାର ନାୟକଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଘଟଣା ସମ୍ପର୍କରେ ଠିକାଦାର ଜଣଙ୍କ କୋରାପୁଟ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

କୋରାପୁଟ ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦ ଏବଂ ରାୟଗଡ଼ା ଡ଼ିଏସପି ଅନନ୍ତଚରଣ ମଲ୍ଲିକଙ୍କୁ ନେଇ ଏକ ଟିମ ଗଠନ କରି ଚଡ଼ଉ କରିଥିଲେ। ଲାଞ୍ଚ ଟଙ୍କା ନେଉଥିବା ସମୟରେ ପୂର୍ବରୁ ଲୁଚି ରହିଥିବା ଦୁର୍ନୀତି ନିବାରଣ ଅଧିକାରୀମାନେ ନାଲି ରଙ୍ଗ ବୋଳା ୪ ହଜାର ଟଙ୍କା ସହ କିରାଣି ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଥିଲେ। କିରାଣିଙ୍କୁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରିବା ପରେ ଜୟପୁର କୋର୍ଟକୁ ଚାଲାଣ କରାଯିବା ବୋଲି ରାୟଗଡ଼ା ଦୂର୍ନୀତି ନିବାରଣ ବିଭାଗର ଉପ-ଆରକ୍ଷୀ ଅଧୀକ୍ଷକ ଅନନ୍ତଚରଣ ମଲ୍ଲିକ ସୁଚନା ଦେଇଛନ୍ତି।

ସେହିପରି ଗତକାଲି ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଖବର ଆସିବା ପରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ପୌରପରିଷଦ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା।