ଅକ୍ଟୋବର ୬ରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଜାପାନ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆସନ୍ତା ଅକ୍ଟୋବର ୬ ଓ ୭ ଦୁଇ ଦିନ ଜାପାନ ଗସ୍ତରେ ଯିବେ । ସେ ଏହି ଅବସରରେ ଜାପାନର ବୈଦେଶିକ ମନ୍ତ୍ରୀ ତୋଷିମିସୁ ମୋଟେଗିଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ମନ୍ତ୍ରୀ ଜୟଶଙ୍କର ଅକ୍ଟୋବର ୬ରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ-ଜାପାନ-ଆମେରିକା ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ ଯେଉଁଥିରେ ସମ୍ପୃକ୍ତ ଦେଶର ବୈଦେଶିକ ମନ୍ତ୍ରୀମାନେ ସାମିଲ ହେବେ ।

କରୋନା ସଂକ୍ରମଣ ନେଇ ଅନ୍ତର୍ଜାତୀୟ ସ୍ଥିତି ଏବଂ ମହାମାରୀରୁ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନର ସମନ୍ୱିତ ସମାଧାନର ଆବଶ୍ୟକତା ଉପରେ ବୈଠକରେ ଆଲୋଚନା ହେବ । ସେମାନେ ଆଞ୍ଚଳିକ ପ୍ରସଙ୍ଗ ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅବାଧ ଓ ମୁକ୍ତ ରକ୍ଷଣାବେକ୍ଷଣର ଗୁରୁତ୍ୱ ଉପରେ ଆଲୋଚନା କରିବେ । ଜାପାନ ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଅଷ୍ଟ୍ରେଲିଆ ଏବଂ ଆମେରିକା ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।