ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ବରିଷ୍ଠ ନାଗରିକଙ୍କୁ ମିଳିଲା ଆଧାର କାର୍ଡ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବରଙ୍ଗପୁର ଜିଲ୍ଲାର ନିର୍ମଳ ଆକାଶ ବୃଦ୍ଧାଶ୍ରମର ୫ଜଣ ବରିଷ୍ଠ ନାଗରିକଙ୍କ ପାଖରେ ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ନଜରକୁ ଆସିଥିଲା । ଏହି ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତଙ୍କ ପାଖରେ ପହଞ୍ଚିଥିଲା । ସଚିବ ଶ୍ରୀ ରାଉତ କଥାଟିର ଗୁରୁତ୍ୱ ବୁଝି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକଙ୍କ ସହ କଥା ହୋଇଥିଲେ ଓ ୫ଜଣ ବରିଷ୍ଠ ନାଗରିକଙ୍କୁ କିପରି ସାହାଯ୍ୟ ମିଳିପାରିବ ସେବିଷୟରେ ବ୍ୟବସ୍ଥା କରିବାକୁ କହିଥିଲେ । ଏହି ନିର୍ଦ୍ଦେଶକ୍ରମେ ୫ ବରିଷ୍ଠ ନାଗରିକଙ୍କୁ ତାଙ୍କ ଆଧାର କାର୍ଡ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି ।