ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲ୍ଡିଂ; ସମୀକ୍ଷା କଲେ ମୋକିମ

କଟକ: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ କଟକ ଶିଶୁ ଭବନର ନୂତନ ବିଲ୍ଡିଂ । ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୀଘ୍ର ଏହାର ଶୁଭ ଉଦଘାଟନ ହୋଇ କାର୍ଯ୍ୟକ୍ଷମ ହେବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାରବାଟୀ ବିଧାୟକ ମହମ୍ମଦ ମୋକିମ ଶିଶୁ ଭବନ ଗସ୍ତ କରି ନବନିର୍ମିତ ବିଲ୍ଡିଂର ସମୀକ୍ଷା କରିଥିଲେ । ପ୍ରଥମେ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ ବିଧାୟକ । ଏହାପରେ ତମାମ ସ୍ଥିତି ପରଖି ଥିଲେ । ଯେହେତୁ ଶିଶୁ ଭବନ ପୂର୍ବ ଭାରତର ବଡ଼ ଶିଶୁ ଚିକିତ୍ସା ମେଡିକାଲ, ତେଣୁ ଏଠାରେ ପୂର୍ବରୁ ଚିକିତ୍ସା ପାଇଁ ଯେତିକି ଆବଶ୍ୟକ ଭିତ୍ତିଭୂମି ଦରକାର ହେଉଥିଲା ତାହା ନଥିଲା ।

ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଇବା ସହ ଶିଶୁ ଭବନରେ ପ୍ରବଳ ଭିଡ ହେଉଥିଲା । ଚିକିତ୍ସା ପାଇଁ ରୋଗୀ ଅନେକ ସମୟ ଅପେକ୍ଷା କରୁଥିଲେ । ପୂର୍ବରୁ ଶିଶୁ ଭବନରେ ୨୧ଟି ଆଇସିୟୁ ଥିଲା । ଏଥିପାଇଁ ରୋଗୀଙ୍କୁ ବହୁ ସମସ୍ୟା ହେଉଥିଲା । କୋଭିଡ ସମୟରେ ଆଉ ୨୦ଟି ଆଇସିୟୁ ବୃଦ୍ଧି କରାଗଲା । ତେବେ ନୂଆ ବିଲ୍ଡିଂରେ ୧୦୦ରୁ ଅଧିକ ଆଇସିୟୁ ବେଡ୍ ସୁବିଧା ରହିବ । କଟକ ଶିଶୁ ଭବନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶହଶହ ରୋଗୀ ଆସିଥାନ୍ତି । ଶିଶୁ ଭବନର ମୋଟ ଶଯ୍ୟା ସଂଖ୍ୟା ପୂର୍ବରୁ ୨୦୦ ଥିବାବେଳେ ଭିଡକୁ ଦେଖି ଏଠାରେ ଏବେ ୪୨୨ ବର୍ଦ୍ଧିତ ଶଯ୍ୟାରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ଏଠି ପ୍ରତିଷ୍ଠା ହୋଇଥିବା ୬୦୦ ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂ ଉଦଘାଟିତ ହେବ ।