ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧ମ ବର୍ଷ କଳା ଓ ବିଜ୍ଞାନ ଛାତ୍ରୀଙ୍କୁ ନେଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା କଲ୍ୟାଣୀ ପାଢ଼ୀଙ୍କ ସଭାପତିତ୍ୱ ଓ କ୍ରୀଡ଼ା ଅଧ୍ୟାପକ ଚତୁର୍ଭୁଜ ବଞ୍ଚ୍‌ଛରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତି ପାଢ଼ୀ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଉପରେ ମାର୍ଗଦର୍ଶନ କରିଥିଲେ । ଯୁଗେ ଯୁଗେ ନାରୀ ହିଁ ନିଜକୁ ସୁରକ୍ଷିତ ରଖିବା ସହିତ ସମାଜରେ ଅଶାନ୍ତି ସୃଷ୍ଟି କରୁଥିବା ଦୁଷ୍ଟ ଦଳନରେ ପ୍ରମୁଖ ଭୂମିକା ନିଭାଇ ଆସିଛି । ସଶକ୍ତ ନାରୀ ହିଁ ନାରୀ ନିର୍ଯାତନା ରୋକିବାକୁ ସମର୍ଥ ହେବ ବୋଲି ଅଧ୍ୟକ୍ଷା କହିଥିଲେ । ସେହିପରି କ୍ରୀଡ଼ା ଅଧ୍ୟାପକ ଆତ୍ମରକ୍ଷା କୌଶଳ ପ୍ରତ୍ୟେକ ନାରୀକୁ ସଶକ୍ତ, ସ୍ୱାଭିମାନୀ ଓ ସାମାଜିକ ପ୍ରତିଷ୍ଠା ଆଣି ଦେଇପାରିବ ବୋଲି କହିଥିଲେ । ଏଥିରେ ସର୍ବମୋଟ ୧୪୬ ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ । ୮ ଦିନ ଧରି ହେବାକୁ ଥିବା ଶିବିର ଆସନ୍ତା ୧୩ ତାରିଖରେ ଶେଷ ହେବ । ଉଦଯାପନୀ ଉତ୍ସବରେ ଛାତ୍ରୀମାନେ ସେମାନଙ୍କ ଆତ୍ମରକ୍ଷା କୌଶଳ ସର୍ବସମ୍ମୁଖରେ ପ୍ରଦର୍ଶନ କରିବେ । ଏହି ଶବିରରେ ପ୍ରଶିକ୍ଷକ ଭାବେ ଗୀତାଞ୍ଜଳି ବେହୁରା ଓ ନିତୁ ନାଉରୀ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେବେ । ଇତିହାସ ଅଧ୍ୟାପକ ଅର୍ଜୁନ ପଣ୍ଡାଙ୍କ ସହିତ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବିଭିନ୍ନ ବ୍ୟବସ୍ଥାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।