ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ

ମୁନିଗଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗଡ଼ାର ନୋଲାଡ଼ ହାଇସ୍କୁଲ ଶ୍ରେଣୀ ଗୃହ ପରିସରରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନଶିକ୍ଷକ ଦୁଷ୍ମନ୍ତ ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ହାଇସ୍କୁଲ ପରିଚାଳନା କମିଟିର ସଭାପତି ନନ୍ଦ କିଶୋର ପଟ୍ଟନାୟକ ଓ ମୋ ସ୍କୁଲ ଅଭିଯାନର ସଭାପତି ପ୍ରଣବ କୁମାର ନିଶଙ୍କ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଦିନକୁଦିନ ସମାଜରେ ହେଉଥିବା ନାରୀ ନିର୍ଯାତନାକୁ ରୋକିବା ନିମନ୍ତେ ସରକାରଙ୍କ ତରଫରୁ ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଗ୍ରହଣ କରି କିପରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟଙ୍କୁ ସୁରକ୍ଷିତ ରଖିବା ସେନେଇ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଭାବେ ରାଣୀପିଣ୍ଡା ସ୍କୁଲର କ୍ରୀଡ଼ା ଶିକ୍ଷୟତ୍ରୀ ପ୍ରଭାତୀ ତୁଙ୍ଗ ଓ ଭୈରବଗଡ଼ ସ୍କୁଲର ଶିକ୍ଷୟତ୍ରୀ ଅତସୀ ତ୍ରିପାଠୀ ପ୍ରଶିକ୍ଷକ ଭାବେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଉଛନ୍ତି । ଏଥିରେ ମୋଟ ୧୦୦ଜଣ ଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ କୃଷ୍ଣ ପ୍ରସାଦ ଗୌଡ଼, କର୍ମଚାରୀ ଚନ୍ଦନ ମାଣ୍ଡାଙ୍ଗି ଓ ମୁରଲୀ ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।