ବ୍ଲକସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ

ରାଇକିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୁଗଡ଼ବାଡ଼ି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବ୍ଲକସ୍ତରୀୟ ବିଜ୍ଞାନ ମେଳା “ବାଲ ବୈଜ୍ଞାନିକ ପ୍ରଦର୍ଶନୀ’ ମେଳା ଉଦଯାପିତ ହୋଇଯାଇଛି । ରାଇକିଆ ବ୍ଲକ ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥିଭାବେ ଏବିଇଓ ସୀମାଦ୍ରି କହଁର, ସାରଥି କହଁର, ଧନେଶ୍ୱର ଖୁଣ୍ଟିଆ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀପ୍ରିୟ ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ । ବିଚାରକ ଭାବେ କଟ୍ରିଙ୍ଗିଆ କଟଡ଼ିମୁଠା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅକ୍ଷୟ ପ୍ରଧାନ ଓ ଫୁଲବାଣୀ ସେବାଶ୍ରମର ସନ୍ତୋଷ କୁମାର ରଥ ଯୋଗ ଦେଇଥିଲେ । “ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’ ଶୀର୍ଷକ ମୁଖ୍ୟ ବିଷୟରେ ମୋଟ ୬୬ଟି ବିଦ୍ୟାଳୟରୁ ୧୧୭ ଜଣ ଶିଶୁ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଗୁଡ଼ବାଡ଼ି ସମିତି ସଭ୍ୟ ଜିକୁନ ସାହୁ ଯୋଗ ଦେଇଥିଲେ । ୧୧୭ଟି ପ୍ରକଳ୍ପ ମଧ୍ୟରୁ ସୁଗୁଡ଼ବାଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟ, କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଇକିଆ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ରଣବା ଉନ୍ନୀତ ବିଦ୍ୟାଳୟ ମୋଟ ୫ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଯାଇଛି । ବିଜ୍ଞାନ ଶିକ୍ଷୟତ୍ରୀ ସୁରପ୍ରଭା ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ବିଜୟ ପ୍ରଧାନ ଧନ୍ୟବାଦ ଦେଇଥିଲେ ।