ପ୍ରାପ୍ୟ ଦରମା ନମିଳିବାରୁ ସିଡିଏମଓଙ୍କ ଦ୍ୱାରସ୍ଥ ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁରକ୍ଷାକର୍ମୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍:ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଆଇଏସଏସ୍ ସିକ୍ୟୁରିଟି ସର୍ଭିସ ଅଧୀନରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀଙ୍କୁ ଉପଯୁକ୍ତ ଦରମା ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସୁରକ୍ଷାକର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୁରକ୍ଷାକର୍ମୀଙ୍କ କହିବାନୁସାରେ, ଦୀର୍ଘ ୮ମାସ ହେବ ସେମାନେ ଜିଆଇଏସଏସ ସିକ୍ୟୁରିଟି ସର୍ଭିସ ଅଧୀନରେ ଚାକିରି କରୁଛନ୍ତି। ଦିନକୁ ୩୯୨ ଟଙ୍କା ହିସାବରେ ତାଙ୍କର ମାସିକ ଦରମା ୧୧ ହଜାର ୭୬୦ ଟଙ୍କା ହେଉଛି। ଇପିଏଫ ଏବଂ ଇଏସଆଇ କଟି ତାଙ୍କ ଦରମା ୯ ହଜାରରୁ ଉର୍ଦ୍ଧ ଟଙ୍କା ହେଉଛି। ହେଲେ କମ୍ପାନୀ ୮ମାସ ହେଲାଣି କେବଳ ୬ ହଜାର ୫ଶହରୁ ୬ ହଜାର ୮ଶହ ଟଙ୍କା ପ୍ରଦାନ କରି ବଳକା ଟଙ୍କାକୁ ହଡ଼ପ କରୁଛି ବୋଲି ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ତେଣୁ ଜିଆଇଏସଏସ୍ ସିକ୍ୟୁରିଟି ସର୍ଭିସ ଅଧୀନରେ କାମ କରୁଥିବା ଜିଲ୍ଲାର ଗରିବ ପିଲାଙ୍କୁ ଶୋଷଣରୁ ରକ୍ଷା କରି ସେମାନଙ୍କ ଉପଯୁକ୍ତ ଦରମା ଯୋଗାଇବାରେ ସହଯୋଗ କରନ୍ତୁ ବୋଲି ସୁରକ୍ଷାକର୍ମୀମାନେ ଦାବି କରିଛନ୍ତି। ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଦାବପତ୍ର ଉପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।