ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ସରକାରୀ କର୍ମୀଙ୍କ ସହ କିଛି ଘରୋଇ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । କାରଖାନା ପକ୍ଷରୁ ଘରୋଇ ସୁରକ୍ଷା କର୍ମୀଙ୍କ ଆଶ୍ରୟସ୍ଥଳୀ ଭାବେ କାରଖାନା ପରିସରରେ ବ୍ୟାରେକ ବ୍ୟବସ୍ଥା ମଧ୍ୟ କରାଯାଇଛି । ହେଲେ କିଛି ଘରୋଇ ସୁରକ୍ଷାକର୍ମୀ ଅନ୍ୟ କିଛି କର୍ମୀଙ୍କୁ ନେଇ ବିଭିନ୍ନ ପ୍ରକାର ସଂଗଠନ ଗଢ଼ିବା ସହିତ କାରଖାନା ପରିସରରେ ଅସାମାଜିକ କାର୍ଯ୍ୟକଳାପ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ସୁରକ୍ଷାକର୍ମୀ ଅଧିକାରୀଙ୍କ ସହ ଅନ୍ୟମାନେ ମଧ୍ୟ ମଦ୍ୟପାନ କରି ମାତାଲ ଅବସ୍ଥାରେ ରହିଥିବାବେଳେ ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ରିପୋର୍ଟ ମୁତାବକ, କିଛି ସୁରକ୍ଷାକର୍ମୀ ସ୍ଥାନୀୟ ବେରେକରେ ମଦ୍ୟପାନ କରିଥିବାବେଳେ ବିଶ୍ୱଭୂଷଣ ଭୋଇ ଓ ମହେନ୍ଦ୍ର କୁମାର ଧରୁଆ ନାମକ ସୁରକ୍ଷାକର୍ମୀ ବଲାଙ୍ଗୀର ବିଧାୟକ ଧରୁଆ ଆଜ୍ଞା ଜିନ୍ଦାବାଦ ନାରା ଦେଉଥିଲେ । ଆଉ କିଛି ସୁରକ୍ଷାକର୍ମୀ ତାଙ୍କ ସହ ତାଳ ମିଶାଇ ଜିନ୍ଦାବାଦ ଜିନ୍ଦାବାଦର ନାରାବାଜି କରୁଥିଲେ ଏବଂ ଅନ୍ୟ କେତେ ଘରୋଇ ସୁରକ୍ଷାକର୍ମୀ ମଦ୍ୟପାନ କରି ଦଣ୍ଡ ନୃତ୍ୟ ପରିବେଷଣ କରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । କାରଖାନାକୁ ସୁରକ୍ଷା ଦେବା ପରିବର୍ତ୍ତେ ସୁରକ୍ଷାକର୍ମୀମାନେ ଏପରି ଅସାମାଜିକ କାର୍ଯ୍ୟକଳାପ କରୁଥିବାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି ।