ପୁଲୱାମାରେ ଏନକାଉଣ୍ଟର ଜାରି; ଲଶ୍କର କମାଣ୍ଡର ଉମର ମୁସ୍ତାକକୁ ଘେରିଲେ ସୁରକ୍ଷାବାହିନୀ

ଶ୍ରୀନଗର,ଏଜେନ୍ସି: ଜମୁ କଶ୍ମୀରର ପୁଲୱାମାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଥରେ ମୁହାଁମୁହିଁ ହୋଇଛି। ଏହି ଏନକାଉଣ୍ଟର ପୁଲୱାମାର ପଂପୋରରେ ଚାଲିଛି। କୁହାଯାଉଛି ଯେ, ଶୀର୍ଷ ସ୍ତରର ଆତଙ୍କବାଦୀ ଓ ଲଶ୍କର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେ ଏହି ଅଂଚଳରେ ଲୁଚି ରହିଛି। ସୁରକ୍ଷାବଳ ମୁସ୍ତାକକୁ ଘେରି ରହିଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଛି।

କଶ୍ମୀର ଆଇଜି ବିଜୟ କୁମାରଙ୍କ ସୂଚନା ଅନୁସାରେ ପଂପୋରର ଦ୍ରଗବଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ସୁରକ୍ଷାବଳ ଶୀର୍ଷ ସ୍ତରର ଆତଙ୍କବାଦୀ ମୁସ୍ତାକକୁ ଘେରିଛନ୍ତି। ମୁସ୍ତାକ କଶ୍ମୀର ଭଗତରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ସମେତ ଅନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମିଲ ଥିଲା।

ଚଳିତ ବର୍ଷ ଫେବୃଆରୀ ମାସରେ ସାକିବ ସହ ମିଶି ମୁସ୍ତାକ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲା। ଏହି ଆତଙ୍କବାଦୀମାନେ ବାରାଜୁଲ୍ଲା ଅଂଚଳର ଭଗତରେ ପୋଲିସ ପାର୍ଟି ଉପରେ ଗୁଳିମାରିଥିଲେ। ଏହି ଗୁଳିମାଡ଼ରେ ୨ ଜଣ ପୋଲିସ କର୍ମୀ ସହିଦ ହୋଇଥିଲେ। ଏହି ୨ ଯବାନ ଜମୁ କଶ୍ମୀର ପୋଲିସରେ ମୁତୟନ ଥିଲେ। ଏହି ଆତଙ୍କବାଦୀ ଘଟଣା ସିସିଟିଭିରେ କଏଦ ହୋଇଥିଲା।